Categories: ଭଦ୍ରକ

ଗ୍ରାମବାସୀଙ୍କ ବିରୋଧ ପରେ ସିଧା ପୋଲ ନିର୍ମାଣ

ବନ୍ତ,୭ା୪(ସ୍ବ.ପ୍ର.)  ଭଦ୍ରକ ଜିଲା ଆଗରପଡ଼ା-ବନ୍ତ ରାସ୍ତାର ଆଡ଼ିଆ ନିକଟସ୍ଥ ଗଣିଜାଙ୍ଗ ମାଇନର କେନାଲ ଉପରେ ବକ୍ରାକାରରେ ଥିବା ମୋହନ ପୋଲକୁ ଭଙ୍ଗାଯାଇ ଆର୍‌ ଆଣ୍ଡ ବି ପକ୍ଷରୁ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ପୋଲକୁ ବକ୍ରାକାର କରି ନିର୍ମାଣ କରାଯାଉଥିବା ବେଳେ ବୁଧବାର ଗ୍ରାମବାସୀ ବିରୋଧ କରିଥିଲେ। ସିଧା ଭାବେ ପୋଲ ନିର୍ମାଣ ପାଇଁ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ମହାପାତ୍ର ପ୍ରତିଶ୍ରୁତି ଦେବା ପରେ କାମ ଆରମ୍ଭ ହୋଇଛି। ପ୍ରକାଶ ଯେ, ଉକ୍ତ ସ୍ଥାନରେ ଥିବା ବକ୍ରାକାର ପୋଲ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ଘଟିଛି। ଏବେ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୧ ମିଟର ଲମ୍ବ ଓ ୧୧ ମିଟର ପ୍ରସ୍ଥ ବିଶିଷ୍ଟ ନୂତନ ପୋଲ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପୋଲକୁ ମଧ୍ୟ ପୂର୍ବପରି ବକ୍ରାକାର କରାଯାଉଥିବା ଅଭିଯୋଗ କରି ଗ୍ରାମବାସୀ ପୂର୍ବାହ୍ନରେ କାମ ବନ୍ଦ କରିଥିଲେ। କନିଷ୍ଠ ଯନ୍ତ୍ରୀ ମହାପାତ୍ର ପହଞ୍ଚିବା ପରେ ପୂର୍ବତନ ସରପଞ୍ଚ ବିଜୟ ଜେନା, ଅଜୟ ରଥ, ବଦ୍ରିନାରାୟଣ ସେଠୀ, କୃପାସିନ୍ଧୁ ବେହେରା ପ୍ରମୁଖଙ୍କ ସହ ଆଲୋଚନା କରି ସିଧା ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।