ତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏହି ଆଇନ କାର୍ଯ୍ୟକାରୀ କରିଛି। ଏହା ପରକୁ ଭାଜପା ଶାସିତ ରାଜ୍ୟଗଣ ଉତ୍ତରାଖଣ୍ଡକୁ ଅନୁସରଣ କରିବାର ସମ୍ଭାବନା ରହିଛି। କିନ୍ତୁ ଏ ସଂକ୍ରାନ୍ତ ବିଲ୍ ଅଦ୍ୟାବଧି ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇନାହିଁ। ପାର୍ଲାମେଣ୍ଟରେ ଉପସ୍ଥାପନ ନିମନ୍ତେ ଏହା ଉପରେ ତର୍ଜମା ଚାଲିଛି। ୨୦୨୪ ନିର୍ବାଚନ ପୂର୍ବରୁ ୟୁସିସି ପ୍ରଚଳନ ନିମନ୍ତେ ଭାଜପା କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରି ଉତ୍ତରାଖଣ୍ଡରୁ ଏହାର ଶୁଭାରମ୍ଭ କରିଥିଲା। ବ୍ୟକ୍ତିଗତ ଆଇନ ବଦଳରେ ଏକକ ଆଇନ ବା ୟୁନିଫର୍ମ ସିଭିଲ କୋଡ୍ ପ୍ରଚଳନ କରାଯିବାର ଆବଶ୍ୟକତା ପ୍ରତି ଦଳ ଗୁରୁତ୍ୱ ଦେଇଆସୁଛି।
ପର୍ସନାଲ ଆଇନ ଅନ୍ତର୍ଭୁକ୍ତ କେତେକ ବିଷୟକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଛି। ଏଥିମଧ୍ୟରୁ ୨ଟି ମାମଲା ଛାଡ଼ପତ୍ର ଓ ଭରଣପୋଷଣକୁ ନେଇ ଦାଏର ହୋଇଛି। ପୋଷ୍ୟ ସନ୍ତାନ ଓ ଅଭିଭାବକତ୍ୱ ନେଇ ଅନ୍ୟ ଏକ ମାମଲା ଦାଏର ହୋଇଛି। ଏକକ ବିବାହ ଆଇନ ଓ ଉତ୍ତରାଧିକାରୀ ସୂତ୍ରକୁ ନେଇ ମଧ୍ୟ ୨ଟି ମାମଲା ଦାଏର କରାଯାଇଛି। ତେବେ ଅଦାଲତ ମୌଳିକ ଅଧିକାର ଭିତ୍ତିରେ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିବାବେଳେ ପର୍ସନାଲ ଆଇନ ଅଥବା ଏକକ ଆଇନ ପରିସରକୁ ଯିବା ପାଇଁ ମନା କରି ଦେଇଛନ୍ତି। ଏହା ସରକାର ଓ ବିଧିପାଳିକାର ଦାୟିତ୍ୱ ବୋଲି ଅଦାଲତ ଦର୍ଶାଇଛନ୍ତି। ଏକକ ନାଗରିକ ସଂହିତାକୁ କିଛି ରାଜନୈତିକ ଦଳ ଓ ମୁସଲିମ ଗୋଷ୍ଠୀ ବିରୋଧ କରୁଛନ୍ତି। ନ୍ୟାୟ ଓ ଆଇନ ମନ୍ତ୍ରାଳୟ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପରିଲୋକଗତ ଭାଜପା ନେତା ସୁଶୀଲ ମୋଦି ଉତ୍ତର-ପୂର୍ବାଞ୍ଚଳ ଆଦିବାସୀଙ୍କୁ ଏଥିରୁ ବାଦ୍ ଦିଆଯିବା ପାଇଁ ପୂର୍ବରୁ ମତ ରଖିଥିଲେ।
ଏକକ ନାଗରିକ ସଂହିତା ଏକ ପୁରୁଣା ପ୍ରସଙ୍ଗ। ସମ୍ବିଧାନ ପ୍ରଣୟନ ସଭାରେ ଏହି ପ୍ରସଙ୍ଗ ଉଠିଥିଲା। ତେବେ ଏହି ସମୟରେ ଦେଶରେ ଅନେକ ଅଗ୍ରାଧିକାର ସମସ୍ୟା ରହିଥିଲା। ଏଣୁ ସଭାର ସଦସ୍ୟଗଣ ଅଗ୍ରାଧିକାର ଦିଗ ଉପରେ ଅଧିକ ଚିନ୍ତା କରିଥିଲେ। ସଭାର ସଦସ୍ୟ ଡ. ବି.ଆର.ଆମ୍ବେଡକର (ଦଳିତ) ଦଳିତ ଉତ୍ଥାନ ପାଇଁ ଚିନ୍ତିତ ଥିବାବେଳେ କହ୍ନେୟାଲାଲ ମୁନ୍ସୀ (ନିଷ୍ଠାବାନ୍ ହିନ୍ଦୁ) ଜଣେ ରକ୍ଷଣବାଦୀ ନେତା ଭାବେ ଭାରତୀୟ ସାଂସ୍କୃତିକ ପୁନର୍ଜାଗରଣରେ ବିଶ୍ୱାସ ରଖିଥିଲେ। ମିନୋ ମସାନୀ (ପାର୍ସୀ) ଗଣତାନ୍ତ୍ରିକ ସମାଜବାଦ ଚିନ୍ତାଧାରାର ବ୍ୟକ୍ତି ଥିଲେ। ସେହିପରି ରାଜକୁମାରୀ ଅମ୍ରିତ କୌର ଶିଖ୍ ସମ୍ପ୍ରଦାୟର ହୋଇଥିବାବେଳେ ହଂସ ମେହେଟ୍ଟା ଗୁଜରାଟୀ ବ୍ରାହ୍ମଣ ଥିଲେ। ତେବେ ସଭାର ସଦସ୍ୟଗଣ ବିବିଧ ପୃଷ୍ଠଭୂମି ଏବଂ ଚିନ୍ତା ଚେତନାରେ ଭିନ୍ନ ଥିଲେ ମଧ୍ୟ ଜାତି, ଧର୍ମ, ସମ୍ପ୍ରଦାୟ ଓ ଭାଷା ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ଏକକ ଭାରତୀୟ ଆଇନ ପ୍ରସ୍ତୁତ ନିମନ୍ତେ ଚାହିଁଥିଲେ। କିନ୍ତୁ ସମୟର ତାଡ଼ନା ଯୋଗୁ ତାହା ହୋଇପାରିଲା ନାହିଁ। ଫଳରେ ଏହି ଚିନ୍ତାଧାରା ଭିନ୍ନ ରୂପରେ ଡିରେକ୍ଟିଭ ପ୍ରିନ୍ସପୁଲ୍ ଅଫ ଷ୍ଟେଟ ପଲିସି ବା ନିର୍ଦ୍ଦେଶିତ ନୀତି ହୋଇ ସମ୍ବିଧାନରେ ରହିଗଲା।
ଦେଶର ସମ୍ପ୍ରଦାୟଭିତ୍ତିକ ଗୋଷ୍ଠୀକୁ ଯଦି ଦେଖାଯାଏ ଦେଶ ବିଭାଜନ ହେବା ପରେ ଯେଉଁ ଅଂଶଟି ଭାରତ ଭାବେ ରହିଗଲା ତାହା ହିନ୍ଦୁ ବହୁଳ। ଯେଉଁ ଅଂଶଟି ପାକିସ୍ତାନ ହେଲା ତାହା ମୁସଲମାନ ବହୁଳ। ୨୦୧୧ ମସିହା ଜନଗଣନା ରିପୋର୍ଟ ଅନୁଯାୟୀ ଭାରତରେ ହିନ୍ଦୁଙ୍କ ସଂଖ୍ୟା ପ୍ରାୟ ୯୬.୬୨ କୋଟି ଅର୍ଥାତ୍ ମୋଟ ଜନସଂଖ୍ୟାର ୭୯.୮୦%। ଦେଶର ୨୮ଟି ରାଜ୍ୟରେ ହିନ୍ଦୁ ହେଉଛନ୍ତି ସଂଖ୍ୟାବହୁଳ। ଏହା ପରକୁ ଇସଲାମ ଧର୍ମାବଲମ୍ବୀଙ୍କ ସଂଖ୍ୟା ରହିଛି। ଏହି ସମ୍ପ୍ରଦାୟର ସଂଖ୍ୟା ମୋଟ ଜନସଂଖ୍ୟାର ଶତକଡ଼ା ୧୪.୨୩% ଅର୍ଥାତ ୧୭.୨୨ କୋଟି। ଜମ୍ମୁ-କଶ୍ମୀର ଓ ଲାକ୍ଷାଦ୍ୱୀପରେ ଏହି ବର୍ଗ ସଂଖ୍ୟାବହୁଳ। ଏହା ପରକୁ ରହିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ଏମାନଙ୍କ ସଂଖ୍ୟା ପ୍ରାୟ ୨.୭୮ କୋଟି ଯାହା ମୋଟ ଜନସଂଖ୍ୟାର ଶତକଡ଼ା ୨.୭୮%। ଏହି ସମ୍ପ୍ରଦାୟ ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ନାଗାଲାଣ୍ଡରେ ଅଧିକ ସଂଖ୍ୟାରେ ରହିଥାନ୍ତି। ଶିଖ୍ ଧର୍ମାବଲମ୍ବୀଙ୍କ ସଂଖ୍ୟା ପଞ୍ଜାବରେ ଅଧିକ ରହିଛି। ମୋଟ ଜନସଂଖ୍ୟାରେ ଏମାନଙ୍କ ଅଂଶ ୧.୭୨% ଅର୍ଥାତ୍ ପ୍ରାୟ ୨ କୋଟି। ଏଥିସହ ବୌଦ୍ଧ ଓ ଜୈନ ସମ୍ପ୍ରଦାୟର ଜନସାଧାରଣ ମଧ୍ୟ ଅଛନ୍ତି। ବୌଦ୍ଧ ଧର୍ମାବଲମ୍ବୀଙ୍କ ହାର ୦.୭% ହୋଇଥିବାବେଳେ ଜୈନ ଓ ଅନ୍ୟାନ୍ୟ ସମ୍ପ୍ରଦାୟ ସଂଖ୍ୟା ୦.୩୭%। ବହୁ ଭାଷାଭାଷୀ ଓ ସମ୍ପ୍ରଦାୟର ଭାରତ ବର୍ଷରେ ବିବାହ, ଶୁଦ୍ଧିକ୍ରିୟା, ଛାଡ଼ପତ୍ର, ଉତ୍ତରାଧିକାରୀ ମନୋନୟନ, ଭରଣପୋଷଣ, ଧାର୍ମିକ କାର୍ଯ୍ୟ ଆଦି କେଉଁ ଅନାଦି କାଳରୁ ବ୍ୟକ୍ତିଗତ ଆଇନ ଅନୁଯାୟୀ ପରିଚାଳିତ ହୋଇଆସୁଛି। କିଛି ଲିପିବଦ୍ଧ ରହିଛି, କିଛି କାର୍ଯ୍ୟ ନିଜନିଜ ଧର୍ମଗ୍ରନ୍ଥ ଆଶ୍ରାରେ ଚାଲିଆସୁଛି।
୧୯୪୮ମସିହା ନଭେମ୍ବରରେ ଡ. ଆମ୍ବେଡକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଚିଠା ପ୍ରସ୍ତାବ ତର୍ଜମା ପାଇଁ ଉପସ୍ଥାପିତ ହେବା ସମୟରେ ସମ୍ବିଧାନ ପ୍ରଣୟନ ସଭାର ୫ ଜଣ ମୁସଲମାନ ସଦସ୍ୟ ଏଥିରେ ସଂଶୋଧନ ପ୍ରସ୍ତାବ ଆଣି ଏକକ ଆଇନର ବିରୋଧ କରିଥିଲେ। ଏହି ନେତାଗଣ ଯୁକ୍ତି ଦର୍ଶାଇଥିଲେ ଯେ, ଦେଶର ଉନ୍ନତ ସ୍ଥାନ ମୁମ୍ବାଇ ଓ ଅନୁନ୍ନତ ଅଞ୍ଚଳରେ ବସବାସ କରୁଥିବା ଜନତାଙ୍କୁ ଏକକ ଆଇନରେ ସମାନ କରାଯାଇପାରିବ ନାହିଁ। ଏଥିସହ ଜନସାଧାରଣ ବ୍ୟକ୍ତିଗତ ଆଇନ ସହ ଓତପ୍ରୋତ ଭାବେ ଜଡ଼ିତ ଥିବାରୁ ଏହାକୁ ତତ୍କାଳ ପରିତ୍ୟାଗ କରିବା ସହଜ ନୁହେଁ। ଦେଶରୁ ନିରକ୍ଷରତା ସମ୍ପୂର୍ଣ୍ଣ ଦୂର ହେବା ସହ ଜନସାଧାରଣ ପ୍ରଗତିଶୀଳ ହେବାପରେ ଧୀରେ ଧୀରେ ଏକକ ଆଇନ ପ୍ରଣୟନ କରାଯାଇପାରେ ବୋଲି ଏହି ସଦସ୍ୟମାନେ ଯୁକ୍ତି ଦର୍ଶାଇଥିଲେ। ଏହି ସଂଶୋଧନ ପ୍ରସ୍ତାବ ଅବଶ୍ୟ କାଟ୍ ଖାଇଯାଇଥିଲା। କିନ୍ତୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଆହ୍ବାନ ଯୋଗୁ ଏହି ସମୟ ବେଳକୁ ଦେଶରେ ହିନ୍ଦୁ – ମୁସଲିମ ବିଦ୍ୱେଷ ଜାରି ରହିଥାଏ। ହିନ୍ଦୁ ବହୁଳ ଅଞ୍ଚଳରେ ମୁସଲିମ ଓ ମୁସଲିମ ବହୁଳ ଅଞ୍ଚଳରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ହେଉଥାଏ। ଶିଖ୍ ସମ୍ପ୍ରଦାୟ ମଧ୍ୟ ଏଥିରୁ ବାଦ୍ ଯାଇ ନ ଥାନ୍ତି। ଫଳରେ କଂଗ୍ରେସ ଏକ ହିନ୍ଦୁ ପ୍ରଧାନ ଦଳ ଓ ହିନ୍ଦୁ ରାଷ୍ଟ୍ର ଗଠନ କରିବାକୁ ଚାହୁଁଛି ବୋଲି ଜିନ୍ନାଙ୍କ ଅଭିଯୋଗରୁ ମୁକ୍ତ ହୋଇ ଦଳ ଓ ଦେଶର ଏକ ଧର୍ମନିରପେକ୍ଷ ଭାବମୂର୍ତ୍ତି ପ୍ରତିଷ୍ଠା ପାଇଁ ଜବାହରଲାଲ ନେହେରୁ ଚିନ୍ତିତ ଥିଲେ। ସଂଖ୍ୟାବହୁଳ ହିନ୍ଦୁ ଅଞ୍ଚଳରେ ମୁସଲମାନମାନେ ନିଜକୁ ଯେପରି ସୁରକ୍ଷିତ ଓ ନିରାପଦ ମନେ କରିବେ ତାହା ସେ ଚାହଁୁଥିଲେ। ତେଣୁ ହିନ୍ଦୁ ବହୁଳ ଅଞ୍ଚଳରେ ନିଜ ନିରାପତ୍ତା ପ୍ରତି ମୁସଲମାନ ସମ୍ପ୍ରଦାୟ ଯେଉଁ ଆଶଙ୍କା କରୁଛନ୍ତି ତାହା ସମ୍ବିଧାନ ଦ୍ୱାରା ଦୂର ହେବା ଆବଶ୍ୟକ ବୋଲି ନେହେରୁ ଚାହିଁଥିଲେ। ତେଣୁ ଉପସ୍ଥିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଆଇନରେ ହାତ ନ ମାରିବାକୁ ସେ ପରାମର୍ଶ ଦେଇଥିଲେ।
ଦୀର୍ଘ ବର୍ଷ ବ୍ୟବଧାନ ପରେ ଏକକ ଆଚରଣ ସଂହିତା ପ୍ରଣୟନ ଦିଗରେ ଅଗ୍ରସର ହେବା ପାଇଁ ୧୯୮୫ରେ ମହମ୍ମଦ ଅହମ୍ମଦ ଖାଁ ବନାମ ଶାହା ବାନୋ ବେଗମ ମାମଲାରେ ସୁପ୍ରିମକୋର୍ଟ ସୁଯୋଗ ସୃଷ୍ଟି କରିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁସଲିମ ବ୍ୟକ୍ତିଗତ ଆଇନ ବିରୋଧରେ ଯାଇ ଅଦାଲତ ୬୨ ବର୍ଷୀୟା ଶାହା ବାନୋଙ୍କୁ ଭରଣପୋଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାର ଏକ ସଂଶୋଧିତ ଆଇନ ବଳରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଏକପ୍ରକାର ପଙ୍ଗୁ କରି ଦେଇଥିଲେ। ଏହି ଆଇନ ପ୍ରତିବାଦରେ ରାଜୀବ ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରୁ ଅରିଫ ମହମ୍ମଦ ଖାଁ ଇସ୍ତଫା ଦେଇଥିଲେ। ମୁସଲିମ ସମ୍ପ୍ରଦାୟରେ ମହିଳା ଅଧିକାର ସାବ୍ୟସ୍ତ କ୍ଷେତ୍ରରେ ଏହି ରାୟ ପରେ ତିନି ତଲାକ୍କୁ ମଧ୍ୟ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଦର୍ଶାଇଛନ୍ତି। ୧୯୪୮ ମସିହାର ଅବସ୍ଥା ଦେଶରେ ଏବେ ନାହିଁ। ଦେଶର ଗଣତାନ୍ତ୍ରିକ ଭାବନା ପରିପକ୍ୱ ହେଲାଣି। ନାଗରିକ ମଧ୍ୟ ସଚେତନ ହେଲେଣି। ଭିନ୍ନଧର୍ମ, ଭିନ୍ନଜାତି ବିବାହ ବୃଦ୍ଧି ପାଇଛି। ଦୀର୍ଘ ଦିନର ରାମ ଜନ୍ମଭୂମି ମାମଲାର ଫଇସଲା ହୋଇପାରିଛି। ଏଭଳି ସ୍ଥିତିରେ ଏକକ ନାଗରିକ ସଂହିତା ଉପରେ କେନ୍ଦ୍ର ସହମତି ଆଣିବା ଆବଶ୍ୟକ। ନିଜ ଶାସିତ ରାଜ୍ୟରେ ପରୋକ୍ଷ ଭାବେ କାର୍ଯ୍ୟକାରୀ କରାଇବା ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ଠିକ୍ ମାର୍ଗ ନୁହେଁ। କାରଣ ପାର୍ଲାମେଣ୍ଟରେ ଗୃହୀତ ପୂର୍ବରୁ ଉତ୍ତରାଖଣ୍ଡ ଯେଉଁ ଆଇନ ଆଣିଛି ତାହା ନ୍ୟାୟିକ ତର୍ଜମା ପରିସରକୁ ନ ଆସିବ ବୋଲି କୁହାଯାଇ ପାରିବ ନାହିଁ।
ମୋ: ୯୪୩୭୨୨୯୨୩୩

