Categories: ମେଟ୍ରୋ

କନଷ୍ଟେବଳ ନିଯୁକ୍ତି ବୟସ ସୀମା ୪ବର୍ଷ କୋହଳ

କଟକ ଅଫିସ,୨୫।୧: କନଷ୍ଟେବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ ପ୍ରସଙ୍ଗରେ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ କନଷ୍ଟେବଳ ନିଯୁକ୍ତି ହୋଇ ନ ଥିବାରୁ ଆଶାୟୀଙ୍କ ସର୍ବାଧିକ ବୟସ ସୀମାକୁ ବିଚାରକୁ ନେଇ ୪ବର୍ଷ କୋହଳ କରାଯାଇଛି। ଏହି ନିର୍ଦ୍ଦେଶ କେବଳ ଚଳିତ ବର୍ଷ ପାଇଁ ଲାଗୁ ହେବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଏଥିସହିତ ଅଦାଲତ କୌଣସି ଶାରୀରିକ ଦକ୍ଷତା(ଫିଟ୍‌ନେସ) ପ୍ରସଙ୍ଗରେ କୋହଳ କରି ନାହାନ୍ତି। ବୟସ ସୀମା କୋହଳ ପାଇଁ ହାଇକୋର୍ଟରେ ଆଗତ ୩ଟି ମାମଲାର ଏକତ୍ର ଶୁଣାଣି କରି ବିଚାରପତି ଏ.କେ. ମହାପାତ୍ର ଏହି ରାୟ ଶୁଣାଇଛନ୍ତି।
ପ୍ରକାଶ ଯେ, ୪,୭୯୦ କନଷ୍ଟେବଳ ପଦବୀ ପୂରଣ ପାଇଁ ୨୦୨୨ ଡିସେମ୍ବର ୩୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୭ ଏବଂ ସର୍ବାଧିକ ବୟସ ୨୩ ରଖାଯାଇଥିଲା। ଆବେଦନର ଶେଷ ତାରିଖ ୨୦୨୩ ଜାନୁୟାରୀ ୨୨ ରହିଥିଲା। ହେଲେ କୋଭିଡ୍‌ ଯୋଗୁ ଗତ ୪ବର୍ଷ ହେଲା କନଷ୍ଟେବଳ ନିଯୁକ୍ତି ହୋଇ ନ ଥିବା କାରଣରୁ ବହୁ ଆଶାୟୀ ଆବେଦନ କରିପାରି ନ ଥିଲେ ଏବଂ ସର୍ବାଧିକ ବୟସ ପାର କରିଯାଇଥିଲେ। ତେଣୁ ବୟସ ସୀମା କୋହଳ କରିବାକୁ ନଗେନ ଭୋଇ, ରଶ୍ମିରଞ୍ଜନ ବେହେରା, ସତ୍ୟଜିତ ପ୍ରଧାନ ଏବଂ ଅନ୍ୟମାନେ ହାଇକୋର୍ଟରେ ପୃଥକ ଆବେଦନ କରିଥିଲେ, ଯାହା ଯଥାକ୍ରମେ ଡବ୍ଲ୍ୟୁପିସି ନଂ. ୩୪୧/୨୦୨୩, ଡବ୍ଲ୍ୟୁପିସି ନଂ. ୩୧୪/୨୦୨୩ ଏବଂ ଡବ୍ଲ୍ୟୁପିସି ନଂ. ୮୮୦/୨୦୨୩ରେ ପଞ୍ଜୀକୃତ ହୋଇଥିଲା। ଗତ ୧୭ତାରିଖରେ ଉକ୍ତ ୩ମାମଲାର ବିଚାରପତି ମହାପାତ୍ରଙ୍କ ପୀଠରେ ଏକତ୍ର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା। ଅଦାଲତ ମଙ୍ଗଳବାର ଏହାର ରାୟ ପ୍ରକାଶ କରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ କନଷ୍ଟେବଳ ପଦବୀ ପାଇଁ ସର୍ବାଧିକ ବୟସ ସୀମାକୁ ୪ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ। ଏଥିସହିତ ଗତ ୩୦ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ଭାବେ ଖାରଜ ନ କରି କେବଳ ବୟସ ସୀମା ୪ବର୍ଷ କୋହଳ କରାଯାଇଥିବା ସମ୍ପର୍କରେ ଏକ ସଂଶୋଧନ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଦାଲତ କହିଛନ୍ତି। ଆବେଦନର ଶେଷ ତାରିଖକୁ ଫେବୃୟାରୀ ୧୦କୁ ବୃଦ୍ଧି କରାଯାଇଛି। ହାଇକୋର୍ଟଙ୍କ ଏହି ରାୟ ପରେ ଆଶାୟୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆମକୁ କୋର୍ଟରୁ ଉଚିତ ନ୍ୟାୟ ମିଳିଛି ବୋଲି ଜଣେ କନଷ୍ଟେବଳ ଆଶାୟୀ କହିଛନ୍ତି।