ମାଲିକଙ୍କ ଗାଡ଼ି ହଡ଼ପ ଷଡ଼ଯନ୍ତ୍ର

ଖଲ୍ଲିକୋଟ,୩ା୧୦(ଡି.ଏନ.ଏ.):ମାଲିକର ବିଶ୍ୱାସରେ ବିଷ ଦେଇ ଜଣେ ଡ୍ରାଇଭର ଗାଡ଼ିକୁ ହଡପ କରିବା ପାଇଁ ନିଜେ ରଚିଥିଲା ମିଛ ଡକାୟତିର ଯୋଜନା। ଏହି ଘଟଣାର ଖଲ୍ଲିକୋଟ ପୋଲିସ ପର୍ଦ୍ଦାଫାସ କରି ଅଭିଯୁକ୍ତ ଡ୍ରାଇଭରଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ମଣିଦେଇପେଣ୍ଠ ଗ୍ରାମର କାହ୍ନୁ କୁମାର ଚୌଧୁରୀ(୨୬)। କାହ୍ନୁ ଭୁବନେଶ୍ୱରର ଜଣେ ମାଲିକଙ୍କ ପିକଅପ ଭ୍ୟାନକୁ ଚଳାଉଥିଲେ। ଗତ ୨୮ରେ କୌଣସି ଏକ ଭଡାରେ ଗାଡ଼ି ନେଇ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁରରୁ ଭଡା ଟଙ୍କା ଧରି ୨୯ରେ ନିଜ ଗାଁକୁ ପାଟପୁରକୁ ଯାଇଥିଲେ। ୩୦ରେ କାହ୍ନୁ ପିକଅପ ଧରି ଭୁବନେଶ୍ୱର ଫେରୁଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟିରେ କେତେଜଣ ଦୁର୍ବୁତ୍ତ ଗାଡ଼ିକୁ ଗାଡ଼ିକୁ ଛଡାଇ ନେବା ସହ ଡ୍ରାଇଭରର ମୋବାଇଲ ଫୋନ ଓ ଡିଏଲ ମଧ୍ୟ ନେଇଯାଇଥିଲେ। ଏ ସମ୍ପର୍କରେ କାହ୍ନୁ ମାଲିକଙ୍କୁ ଫୋନ ଯୋଗେ ଜଣାଇଥିଲେ। ମାଲିକ ଆସିବା ପରେ ଗତ ୧ ତାରିଖରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୫୫୧/୨୨ରେ ମାମଲା ରୁଜୁ କରିଥିଲା। ପରେ ସନ୍ଦେହ ହେବାରୁ କାହ୍ନୁକୁ ଥାନାରେ ଅଟକ ରଖି ଜେରା କରିବା ପରେ ସେ ନିଜେ ଲୁଟେରା ବୋଲି ଜଣାପଡିଥିଲା। ସେ ଲୁଚାଇ ରଖିଥିବା ନାରାୟଣୀ ଜଙ୍ଗଲରୁ ପିକଅପ ଗାଡ଼ିକୁ ଉଦ୍ଧାର କରାଯାଇଛି। ମାଲିକ ଚନ୍ଦନ କୁମାରଙ୍କୁ ଗାଡ଼ି ଚାବି ହସ୍ତାନ୍ତର କରିଛନ୍ତି ଏସଆଇ ହିମାଂଶୁ ପାତ୍ର। ଏ ନେଇ ରବିବାର ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଇଆଇସି ଜଗନ୍ନାଥ ମଲ୍ଲିକ ଉପସ୍ଥିତ ରହି ଏ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ।