ଭୁବନେଶ୍ୱର, ୧୮।୧୧(ସୁନିତ୍ ମିଶ୍ର): ଦିନ ଥିଲା ସବୁ ପୋଲିଂ ବୁଥ୍ରେ ଦଳର ଏଜେଣ୍ଟ ନ ଥିଲେ। ପରାଜୟରୁ ଶିକ୍ଷା ଗ୍ରହଣ କରି ଓ ତା’ର ସମୀକ୍ଷା କରି ବର୍ତ୍ତମାନ ଦଳ ବିଜୟୀ ହୋଇଛି। ନୂଆପଡ଼ା ଉପନିର୍ବାଚନରେ ଦଳର ସମସ୍ତେ ଏକାଠି ହୋଇ ଲଢ଼ିଲେ ଏବଂ ଐତିହାସିକ ବିଜୟ ଲାଭ କଲେ। ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ନିଜ ଆସନ ପରାଜୟ ଭୟରେ ଅନେକ ମିଛ କଥା କହି ଆମକୁ ଆକ୍ରମଣ କଲେ। ଏପରିକି ଭୋଟ ଚୋରି, ବେଇମାନ ଭଳି ଅପଶବ୍ଦ ମଧ୍ୟ ବ୍ୟବହାର କରିବାକୁ ପଛାଇଲେ ନାହିଁ। କିନ୍ତୁ ବିରୋଧୀଙ୍କ ମିଛ କାମ ଦେଲାନି ଏବଂ ନୂଆପଡ଼ାବାସୀ ସେମାନଙ୍କୁ ଉଚିତ ଜବାବ ଦେଲେ। ଅପରେଶନ ସିନ୍ଦୂର ଭଳି ଅପରେଶନ ନୂଆପଡ଼ା ହେଲା। ବିଭୀଷଣଙ୍କ ପାଇଁ କଂଗ୍ରେସ ପରାଜୟବରଣ କରିଲା ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ ସଭାପତି ଭକ୍ତ ଦାସ କହିଛନ୍ତି। ଯଦି ତାହା ହୁଏ ତେବେ ୭୦% ବିଭୀଷଣ ଥିବା କଂଗ୍ରେସ ଦଳ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ନୂଆପଡ଼ା ବିଜୟ ପରେ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଧନ୍ୟବାଦ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନୂଆପଡ଼ାବାସୀ ରେକର୍ଡ ପରିମାଣରେ ନିଜ ମତଦାନ ସାବ୍ୟସ୍ତ କରି ଐତିହାସିକ ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରାଇଛନ୍ତି, ଯାହା ରାଜ୍ୟରେ ରାଜନୈତିକ ମୋଡ ବଦଳାଇ ଦେଇଛି। ନୂଆପଡ଼ା ଉପନିର୍ବାଚନରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ଭାଜପାର ବିଶାଳ ବିଜୟ ହୋଇଛି। ଯେଉଁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀମାନେ ଯେଉଁସବୁ ଅଞ୍ଚଳରେ ଥିଲେ ସେଠାର ସ୍ଥାନୀୟ ସମସ୍ୟାଗୁଡିକର ତାଲିକା ପ୍ରସ୍ତୁତ କରିବେ, ସବୁର ସମାଧାନ କରାଯିବ। ଯାହା ଘୋଷଣା ହୋଇଛି ସେସବୁକୁ ତ୍ୱରାନ୍ବିତ କରିବା ପାଇଁ ପଦକ୍ଷେପ ନେବେ। ନୂଆପଡ଼ାରେ ଜଳସେଚନଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଅତିଶୀଘ୍ର ନୂଆପଡ଼ାବାସୀଙ୍କୁ ଭେଟି ଧନ୍ୟବାଦ ଜଣାଇବି ବୋଲି ସେ କହିଛନ୍ତି।
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଭାଜପା ସଙ୍ଗଠିତ ହୋଇ ନିର୍ବାଚନ ଲଢ଼ିଲା। ପ୍ରଥମେ ୫ଟି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ନିର୍ବାଚନ ଲଢ଼ିବାର ରଣକ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା। ପରବର୍ତ୍ତୀ ସମୟରେ ମନ୍ତ୍ରୀମାନଙ୍କୁ ମଣ୍ଡଳ, ବିଧାୟକମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଗଲା। ଯେଉଁ କାର୍ଯ୍ୟକର୍ତ୍ତାଙ୍କୁ ଯେଉଁଠି ଦାୟିତ୍ୱ ମିଳିଲା ସେମାନେ ନିଜ ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କଲେ। ୨୦୨୪ ନିର୍ବାଚନରେ ୩ୟ ସ୍ଥାନରେ ଥିବା ଭାଜପା ପ୍ରତି ନୂଆପଡ଼ାବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇଲା ବୋଲି ସେ କହିଛନ୍ତି। ଦଳର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି, ନୂଆପଡା ଉପନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରି ବୃହତ୍ ବିଜୟ ପ୍ରଦାନ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏହି ଅବସରରେ ଦଳର ବହୁ ବରିଷ୍ଠ ମନ୍ତ୍ରୀ, ବିଧାୟକ, ଦଳର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।


