ଥିରୁଭାନନ୍ତପୁରମ୍,୮ା୫:କେରଳମ୍ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଜଣେ ବରିଷ୍ଠ ନେତାଙ୍କ ଅସ୍ବାଭାବିକ ଆଚରଣ ଏବେ ଚର୍ଚ୍ଚାକୁ ଆସିଛି। ବୈଠକ ଆରମ୍ଭ ହେବା ପୂର୍ବରୁ ବିଧାୟକମାନେ କାର୍ଯ୍ୟାଳୟକୁ ପ୍ରବେଶ କରୁଥିଲାବେଳେ ଜଣେ ନବ ନିର୍ବାଚିତ ବିଧାୟିକାଙ୍କୁ ଦଳର ବରିଷ୍ଠ ବିଧାୟକ ଚେରିଆନ୍ ଫିଲିପ୍ ସ୍ବାଗତ କରିବା ସମୟରେ ଆଲିଙ୍ଗନ କରିବାକୁ ଉଦ୍ୟମ କରିବା ଘଟଣା ରାଜନୈତିକ ମହଲ ଠାରୁ ଆରମ୍ଭକରି ସର୍ବସାଧାରଣରେ ଭ୍ରୁକୂଞ୍ଚନ ସୃଷ୍ଟି କରିଛି। କୋଲାମ ନିର୍ବାଚନ ମଣ୍ଡଳୀରୁ ଏଥର ପ୍ରଥମଥର ବିଜୟୀ ହୋଇଥିବା ୪୮ ବର୍ଷୀୟା ବିନ୍ଦୁ କ୍ରିଷ୍ଣନ ଦଳୀୟ ମୁଖ୍ୟାଳୟକୁ ଆସୁଥିଲାବେଳେ ତାଙ୍କୁ ଫିଲିପ୍ ସ୍ବାଗତ କରିଥିଲେ। ଏହି ସମୟରେ ବିନ୍ଦୁ ଫିଲିପ୍ଙ୍କ ସହ କରମର୍ଦ୍ଦନ ପାଇଁ ହାତ ବଢାଇଥିଲେ। ହେଲେ ଫିଲିପ୍ ତାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବିନ୍ଦୁ ନିଜକୁ ଅତ୍ୟନ୍ତ ଅସ୍ବସ୍ତିକର ବୋଧ କରିବା ସହ ନିଜକୁ ଦୂରେଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଫିଲପ୍ ତାଙ୍କୁ ଟାଣି ଆଲିଙ୍ଗନ କରିବାକୁ ଉଦ୍ୟମ କରିଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି। ଦଳୀୟ ନେତାଙ୍କ ସହ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବାରୁ ଫିଲିପ୍ଙ୍କୁ ନେଇ ସାଧାରଣରେ ଚର୍ଚ୍ଚା ବଢିଛି।