୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ଉତ୍ତେଜନା

ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି। ଘର ଉପରେ ଯାଇଥିବା ଏହି ହାଇଭୋଲଟେଜ ତାର ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ଅଡ଼ି ବସିଥିବାରୁ ଛିଣ୍ଡିଯାଇଥିବା ତାର ସଂଯୋଗ ହୋଇପାରି ନାହିଁ। ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ପରିସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ୨ ଦିନ ହେଲା ୧୨ଶହରୁ ଅଧିକ ଉପଭୋକ୍ତା ବିଦ୍ୟୁତ୍‌ ସେବାରୁ ବଞ୍ଚିତ ରହିଛନ୍ତି।
ପ୍ରକାଶ ଯେ, ସନ୍ତରାବନ୍ଧ ଗ୍ରାମ ଦେଇ ୧୫ଟି ରାଜସ୍ବ ଗ୍ରାମକୁ ୧୧ କେଭି ବିଦ୍ୟୁତ୍‌ ତାର ଯାଇଛି। ମଙ୍ଗଳବାର ରାତି ୮ଟା ବେଳେ ସନ୍ତରାବନ୍ଧ ଗ୍ରାମର ମୋହନ ଗଡତିଆଙ୍କ ଘର ଉପର ଦେଇ ଯାଇଥିବା ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ଛିଣ୍ଡିପଡିଥିଲା। ଖବରପାଇ ରାତିରେ ଟିପିସିଓଡିଏଲର କର୍ମଚାରୀମାନେ ଗଁାରେ ପହଞ୍ଚି ତାର ସଂଯୋଗ ପାଇ ଉଦ୍ୟମ କରିଥିଲେ। ହେଲେ ହରମୋହନଙ୍କ ପରିବାର ଓ ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ ଘର ଉପର ଦେଇଯାଇଥିବା ତାର ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ଫଳରେ କର୍ମଚାରୀମାନେ ଫେରିଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବୁଧବାର ଏସ୍‌ଡିଓ ସିପକ ଦାଶ ଓ କୋଶଳା ଯନ୍ତ୍ରୀ ରୋହିତ କୁମାର ସାହୁ ସନ୍ତରାବନ୍ଧରେ ପହଞ୍ଚି ବୁଝାଶୁଝା କରିଥିଲେ। ଗୁରୁବାର ମଧ୍ୟ ଦୁଇ ଅଧିକାରୀ ଗଁାକୁ ଯାଇଥିଲେ। ପୋଲିସକୁ ଖବର ଦେଇଥିଲେ। ଛେଣ୍ତିପଦା ଥାନା ଏସ୍‌ଆଇ ରାଜେଶ କୁମାର ଶତପଥୀ ଓ କର୍ମଚାରୀମାନେ ପହଞ୍ଚି ଆଲୋଚନା କରିଥିଲେ। ହେଲେ ଘର ଉପରୁ ତାର ସ୍ଥାନାନ୍ତର ନ କରାଯିବା ପର୍ଯ୍ୟନ୍ତ ସଂଯୋଗ କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଥିଲେ। ବିଦ୍ୟୁତ୍‌ ବିଭାଗ ଅଧିକାରୀ ଘର ଉପରେ ଯାଇଥିବା ତାର କେବୁଲ ଭିତରେ ନିଆଯିବ ଓ ଏହାର ଖର୍ଚ୍ଚ ଘର ମାଲିକଙ୍କୁ ବହନ କରିବାକୁ ପଡ଼ିବ ବୋଲି କହିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ତାର ସଂଯୋଗ ହୋଇ ନ ପାରିବାରୁ ସନ୍ତରାବନ୍ଧ ଓ କମ୍ପସଲା ପଞ୍ଚାୟତର ୧୫ରୁ ଊଦ୍ଧର୍‌ବ ରାଜସ୍ବ ଗ୍ରାମର ପ୍ରାୟ ୧୨୦୦ ଉପଭୋକ୍ତା ଏବେ ବିଦ୍ୟୁତ୍‌ ସେବାରୁ ବଞ୍ଚିତ ରହିଛନ୍ତି। ତେବେ ସମସ୍ୟା ସମାଧାନରେ ବିଦ୍ୟୁତ୍‌ ବିଭାଗର ଏହି ବିଫଳତାକୁ ନେଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶୁକ୍ରବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ଦିଆ ନ ଗଲେ ଉପଭୋକ୍ତା ମଞ୍ଚ ରାସ୍ତାକୁ ଓହ୍ଲାଇବ ବୋଲି ଆବାହକ ଚୌଧୁରୀ ପ୍ରଧାନ ଚେତାବନୀ ଦେଇଛନ୍ତି।