ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର ଏଥିରେ ରୋକ୍ ଲଗାଇଛି ତହସିଲ ଓ ପୌର ପ୍ରଶାସନ। ଭାଜପା ଦଳର ନେତାଙ୍କ ଚାପରେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ କରିଛି ଜିଲା କଂଗ୍ରେସ କମିଟି। ଏ ନେଇ ବୁଧବାର ସ୍ଥାନୀୟ ପ୍ରଦିକ୍ଷଣ ଗୃହରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା।
ସେ କହିଥିଲେ, ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକା ୧୯୬୨ରୁ ୧୯୭୨ ଦୁଇ ଥର କୋରାପୁଟ ଲୋକ ସଭାରୁ ସଦସ୍ୟ ହେବା ସହିତ ୭ଥର ବିଧାୟକ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଅବିଭକ୍ତ କୋରାପୁଟ ଜିଲାରେ ଶିକ୍ଷା, ଗମନାଗମନ ଓ ସ୍ବାସ୍ଥ୍ୟ ସେବାରେ ସୁଧାର ଆସିଥିଲା । ଏଭଳିକି ଅନୁସୂଚିତ ଜନଜାତି ଓ ଅନସୂଚିତ ଜାତିର ବିକାଶରେ ରାମଚନ୍ଦ୍ର ଉଲାକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାବ୍ୟତୀତ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପୌର ପରିଷଦ କାଉନସିଲ ବୈଠକରେ ଗତ ମେ ୮ ତାରିଖରେ ଅନୁମତି ଗୃହୀତ ହୋଇ ରିଜ୍ୟୁଲେସନ କରାଯିବା ସହିତ ସମସ୍ତ ବିଭାଗର ଅନୁମତି ପୂର୍ବରୁ ନିଆଯାଇଛି । ଏହାସତ୍ତ୍ୱେ ଯଦି ଭାଜପା ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ବିରୋଧ କରିବ ଏବଂ ସେହି ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଭାଜପା ଦାୟୀ ରହିବ ବୋଲି ବିଧାୟକ କାଡ୍ରାକା କହିଛନ୍ତି। ସେହିଭଳି କଂଗ୍ରେସ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରତି କେବେ ଅଣଦେଖା କରିନାହିଁ। ବରଂ ତାଙ୍କ ପ୍ରତିମୂର୍ତ୍ତି ପାଇଁ ରାୟଗଡ଼ାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସ୍ଥାନରେ ସ୍ଥାପନା ପାଇଁ ଅନୁରୋଧ କରାଯାଇଛି ବୋଲି ବିଧାୟକ କାଡ୍ରାକା କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ, କାଉନସିଲର ରାଜୀବ ଖୋସଲାଙ୍କ ସମେତ ଯୁବ ନେତା ହରିଶ ପଟ୍ଟନାୟକ, ଅସଲାମ୍ ଖାନ୍, ବାଦଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏ ସମ୍ପର୍କରେ ଭାଜପାର ବରିଷ୍ଠ ନେତା କାଳୀରାମ ମାଝି କହିଛନ୍ତି, ବିର୍ସା ମୁଣ୍ଡାଙ୍କ ପ୍ରତିମର୍ତ୍ତି ପାଇଁ ଚିହ୍ନଟ ଜାଗାରେ କଂଗ୍ରେସ କାହିଁକି ତାଙ୍କ ଦଳର ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରୁଛି। ଯଦି କଂଗ୍ରେସ ଏଭଳି କରେ ତେବେ ଭାଜପା ଏହାକୁ ବିରୋଧ କରିବ ବୋଲି କାଳୀରାମ କହିଛନ୍ତି।


