ସ୍ବାୟତ୍ତ ଶାସନ ଦିବସରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ: ଜିଲାପାଳଙ୍କ ନାଁରେ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୭।୯: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ ଲେଙ୍କାଙ୍କ ନାଁରେରେ ଏନ୍‌ଏଚ୍‌ଆର୍‌ସି (ଜାତୀୟ ମାନବ ଅଧିକାର କମିଶନ)ରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର କଳିଙ୍ଗନଗର ବାସିନ୍ଦା ତଥା ସାମାଜିକ କର୍ମୀ ରାଜୀବ ଲୋଚନ ପ୍ରଧାନଙ୍କ ଏହି ଅଭିଯୋଗ ଉପରେ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଡାଏରୀ ନମ୍ବର ୧୫୦୦୦/ଆଇଏନ୍‌/୨୦୨୦ ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସରେ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା। ଏଥିରେ ୭୦୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଫଳରେ ଜଗତ୍‌ସିଂହପୁରର ବହୁ ସଂଖ୍ୟକ ଲୋକ କରୋନା ସଂକ୍ରମିତ ହେବା ପାଇଁ ସୁଯୋଗ ସୃଷ୍ଟି କରିଥିଲା। ସାରା ବିଶ୍ୱ କରୋନା ମହାମାରୀ ଯୋଗୁ ପୀଡିତ। ଏ ପରିସ୍ଥିତିରେ ଉତ୍ସବରେ ଏତେ ସଂଖ୍ୟକ ଲୋକଙ୍କୁ ଏକାଠି କରାଯିବା ବେଆଇନ। କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କୌଣସି ଉତ୍ସବରେ ୧୦୦ରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ବାଡ଼ ଖେତ ଖାଇଲା ପରି ନିର୍ଦ୍ଦେଶ କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ଜିଲାପାଳ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଛନ୍ତି। ତେଣୁ ଜିଲାପାଳ ଓ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏପରି କି ଏତଲା ଦେବା ପାଇଁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଡିଜିପି (ପୋଲିସ ମହାନିର୍ଦ୍ଦେଶକ)ଙ୍କୁ କମିଶନ ନିର୍ଦ୍ଦେଶ ଦେବାକୁ ଅଭିଯୋଗକାରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ମହାପାତ୍ର ଓ ପୌର ନିର୍ବାହୀ ଅଧିକାରୀ ଲେଙ୍କାଙ୍କୁ ମୋବାଇଲ ଫୋନ୍‌ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।