ପୌରପରିଷଦରେ ତାଲା ପକାଇବା ଘଟଣା: ଟୁଇଟର ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ଆନନ୍ଦପୁର,୩୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଲାଗି ରହିଥିବା ତାଲା ପକା ଆନ୍ଦୋଳନକୁ ନେଇ ସାଧାରଣ ଜନତା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ୪ ଦିନ ଧରି ତାଲା ପଡ଼ିଥିଲେ ବି ଜିଲା ପ୍ରଶାସନର ଉଦାସୀନତା ଖବର ଗଣମାଧ୍ୟମ ଜରିଆରେ ଚର୍ଚ୍ଚାର ପରିସରକୁ ଆସିଛି। ପ୍ରକାଶିତ ଖବରକୁ ଆଧାର କରି ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଟୁଇଟର୍‌ ଯୋଗେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସହରାଞ୍ଚଳ ବିକାଶ ନିକଟରେ ଅଭିଯୋଗ କରିଛନ୍ତି। ସାଧାରଣ ଲୋକଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମାନବାଧିକାର କର୍ମୀ ଦାବି କରିଛନ୍ତି। ଗତ ବୁଧବାର ଅପରାହ୍ନରୁ ପୌରପରିଷଦ କାର୍ଯ୍ୟାଳୟରେ ତାଲା ପକାଇ କାଉନସିଲରମାନେ ଧାରଣାରେ ବସିଛନ୍ତି। କର୍ମଚାରୀ ଅଭାବ ଜନିତ ସମସ୍ୟାକୁ ନେଇ ଚଳିତ ମାସ ୧୨ ତାରିଖରେ କାଉନସିଲରମାନେ ଆନନ୍ଦପୁର ଉପଜଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ୧୩ ତାରିଖରେ ଉପଜିଲାପାଳ ଧାରଣାସ୍ଥଳରେ ପହଞ୍ଚି କାଉନସିଲରମାନଙ୍କ ସହିତ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପରବର୍ତ୍ତୀ ସମୟରେ ପୌରପରିଷଦର ସିଓଙ୍କ ବଦଳି ଆଦେଶ ପାଇବା ପରେ କାଉନସିଲରମାନେ ତାଙ୍କ ବଦଳି ବାତିଲ ଦାବି କରି ଧାରଣାରେ ବସିଥିଲେ। ଏହା ସହିତ ପୌରପରିଷଦର ବିଭିନ୍ନ ଦାବି ସମ୍ପର୍କିତ ଦାବିପତ୍ର ମଧ୍ୟ ପ୍ରଶାସନ ନିକଟରେ ପ୍ରଦାନ କରି ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଚେତାବନୀ ଦେଇଥିଲେ। ଏହିକ୍ରମରେ ବୁଧବାରଠାରୁ କ୍ରମାଗତ ଭାବେ ପୌର କାର୍ଯ୍ୟାଳୟରେ ତାଲା ଝୁଲୁଛି। ଆଉ କାଉନସିଲରମାନେ ଧାରଣାରେ ବସୁଛନ୍ତି। ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀଙ୍କୁ ପଚାରିବାରୁ ଆଲୋଚନା ଚାଲିଛି, ଖୁ୍‌ବ୍‌ଶୀଘ୍ର ଏହାର ସମାଧାନ ହେବ ବୋଲି କହୁଛନ୍ତି। ପୌର ଅଧିକାରୀ ଲଳିତ କୁମାର ନାୟକଙ୍କୁ ପଚାରିବାରୁ ସହର ଉନ୍ନୟନ ବିଭାଗ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏ ସମ୍ପର୍କରେ ଅବଗତ କରିଛୁ। ସେ ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି। ଅନ୍ୟପଟେ ୪ ଦିନ ଧରି ପୌର କାର୍ଯ୍ୟାଳୟ ବନ୍ଦ ହେବା ଦ୍ୱାରା ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।