କଲେଜ ଛାତ୍ରୀଙ୍କ ବ୍ୟାଗ ଲୁଟ ଘଟଣା, ୩ ଗିରଫ

ହିଞ୍ଜିଳିକାଟୁ, ୨୩ା୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିଠାରେ ଗତ ଅଗଷ୍ଟ ୨୫ରେ ଜଣେ କଲେଜ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ ବାଇକରେ ୩ଜଣ ଯୁବକ ତାଙ୍କ ବ୍ୟାଗକୁ ଲୁଟି ନେଇଥିଲେ। ବ୍ୟାଗରେ ଛାତ୍ରୀଙ୍କ ମୋବାଇଲ ସମେତ ସ୍କୁଲ କଲେଜର ସାର୍ଟିଫିକେଟ ରହିଥିଲା। ଏହି ମାମଲାରେ ଶୁକ୍ରବାର ହିଞ୍ଜିଳି ପୋଲିସ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପାଟପୁର ଥାନା କଙ୍କୋରଡ଼ା ଗ୍ରାମର ଅଶୋକ ବିଶୋୟୀ, ଶ୍ରୀକାନ୍ତ ଜେନା ଓ ସୁବ୍ରତ ଜେନା। ଅଭିଯୁକ୍ତମାନଙ୍କଠାରୁ ବ୍ୟାଗ ସମେତ ମୋବାଇଲ ଫୋନ, ସ୍କୁଲ କଲେଜ ସାର୍ଟିଫିକେଟ, ଆଧାର କାର୍ଡ ଆଦିକୁ ପୋଲିସ ଉଦ୍ଧାର କରି ଛାତ୍ରୀଙ୍କୁ ଫେରସ୍ତ କରିଛି। ଅନ୍ୟପକ୍ଷରେ ଏକ ବାଇକକୁ ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ ବାଦିଆମ୍ବଗାଁର କଲେଜ ଛାତ୍ରୀ ସନ୍ଧ୍ୟାରାଣୀ ଜେନା ଗାଁରୁ ଅନ୍ୟସାଙ୍ଗମାନଙ୍କ ସହ ସାଇକେଲରେ କମ୍ପ୍ୟୁଟର କ୍ଲାସ ପାଇଁ ହିଞ୍ଜିଳିକାଟୁ ଆସୁଥିଲେ। ଗତ ଅଗଷ୍ଟ ୨୫ରେ ସେମାନେ ହିଞ୍ଜିଳିକାଟୁରୁ ନିଜଗାଁକୁ ମଧ୍ୟାହ୍ନରେ ଫେରୁଥିବା ବେଳେ ଶିକିରି ଗାଁ ନିକଟରେ ଗୋଟିଏ ବାଇକରେ ୩ଜଣ ପଛ ପଟୁ ଆସି ସନ୍ଧ୍ୟାରାଣୀଙ୍କ ସାଇକେଲ ବାସ୍କେଟରେ ଥିବା ବ୍ୟାଗକୁ ହଠାତ ଲୁଟି ନେଇଯାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୪୫/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସନ୍ଧ୍ୟାରାଣୀ କିଛି ଦିନ ପରେ ଯୁକ୍ତ ତିନିରେ ନାମଲେଖା କରିବାକୁ ଥିବାରୁ ଓରିଜିନାଲ ସାର୍ଟିଫିକେଟ ଅତ୍ୟନ୍ତ ଜରୁରୀ ଥିଲା।