ପଦ୍ମପୁର ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଜିଲାପାଳ

ବରଗଡ଼ ଅଫିସ,୧୯ା୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ରେ ଭୋଟ ଗ୍ରହଣ ହେବ। କଂଗ୍ରେସ, ବିଜେଡି, ଭାଜପା ପ୍ରାର୍ଥୀଙ୍କ ସମେତ ୧୧ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ସେହିପରି ନିର୍ବାଚନକୁ ନିରପେକ୍ଷ ଏବଂ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୋଲିସ, ପ୍ରଶାସନ ମଧ୍ୟ ତତ୍ପର ହୋଇଛି। ଶନିବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଉପନିର୍ବାଚନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଏବଂ ଏସପି ସ୍ମିତ୍‌.ପି. ପରମାର୍‌ ସୂଚନା ଦେଇଥିଲେ। ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୧୯ଟି ବୁଥ୍‌ ରହିଛି ଏବଂ ସେଥିମଧ୍ୟରୁ ୧୫୨ ବୁଥ୍‌ ସମ୍ବେଦନଶୀଳ ଏବଂ ଅଧିକ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ ହୋଇଛି। ସମ୍ପୃକ୍ତ ବୁଥ୍‌ଗୁଡ଼ିକୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଏସ୍‌ପି, ଜିଲାପାଳ ସୂଚନା ଦେଇଥିଲେ। ସେହିପରି ଉପନିର୍ବାଚନ ପାଇଁ ଆସିଥିବା ୩ ପର୍ଯ୍ୟବେକ୍ଷକ ଜିଲା ପୋଲିସ କଣ୍ଟ୍ରୋଲ ରୁମ୍‌ ବୁଲି ଦେଖିଥିଲେ।