ପୁନଃ ନିର୍ମାଣ ଅପେକ୍ଷାରେ ଶୀତଳ ଭଣ୍ଡାର

କଟକ ସଦର,୧୩ା୩ (ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ଅଞ୍ଚଳରେ ଥିବା ସମବାୟ ଶୀତଳ ଭଣ୍ଡାର ୧୯୯୯ ମହାବାତ୍ୟା ପରଠାରୁ ଅଚଳ ଅବସ୍ଥାରେ ରହିଛି। ଏହାକୁ ପୁନଃ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପଡୁଛି। ତେଣୁ ଘରୋଇ ସହ ଭାଗିତାରେ ଏହାକୁ ପୁନଃ ନିର୍ମାଣ କରି ଚଲାଇବା ପାଇଁ ରାଜ୍ୟ ସମବାୟ ବିଭାଗ ଟେଣ୍ଡର ଆହ୍ବାନ କରିଛି। ନିର୍ଦ୍ଧାରିତ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ମାତ୍ର ୩ଟି ସଂସ୍ଥା ଏହାକୁ ନେବା ପାଇଁ ଆଗ୍ରହ ପ୍ରକାଶ କରି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଟେଣ୍ଡର ଫାଇଲ ଖୋଲିବା ପରେ ଯଦି ସରକାର କୌଣସି ଏକ ପ୍ରସ୍ତାବକୁ ଗ୍ରହଣ କରନ୍ତି, ତା’ହେଲେ ଉକ୍ତ ଶୀତଳ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ହୋଇପାରିବ।
କାଠଯୋଡ଼ି ଓ ସିଡୁଆ ନଦୀ ଅବବାହିକାରେ ଥିବା ୪୨ ଅଞ୍ଚଳରେ ଆଳୁ, କୋବି ଅଧିକ ଦିନ ସଂରକ୍ଷିତ କରି ରଖିବା ପାଇଁ ୧୯୬୨ ମସିହାରେ ସମବାୟ ବିଭାଗ ଜରିଆରେ ଏହି ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା। ଏଥିପାଇଁ ରାଜ୍ୟ ଅର୍ଥ ନିଗମ ୧ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରିଥିଲା। ଲାଭ ହେବା ଦ୍ୱାରା ଋଣ ଶୁଝା ଯାଇଥିଲା। ମାତ୍ର ପରିଚାଳନାରେ ତ୍ରୁଟି ଯୋଗୁ ୧୯୮୫ ପରଠାରୁ ଆଉ ଲାଭ ହୋଇ ନ ଥିଲା। ଶେଷରେ ମହାବାତ୍ୟା ଯୋଗୁ ଉକ୍ତ ଶୀତଳ ଭଣ୍ଡାରର ବ୍ୟାପକ କ୍ଷୟକ୍ଷତି ହେବାରୁ ଆଉ ଚାଲିପାରିଲା ନାହିଁ। ଶୀତଳଭଣ୍ଡାର ଗୃହ ଭାଙ୍ଗିରୁଜି ଯାଇଥିବାବେଳେ ଯନ୍ତ୍ରପାତି କଥା ନ କହିବା ଭଲ। ତେଣୁ ଏହାକୁ ପୁନଃ ନିର୍ମାଣ କରି କାର୍ଯ୍ୟକ୍ଷମ କରାଗଲେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ।
ଉତ୍କଳ ବିକାଶ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି, ସରକାର କୋହଳ ସର୍ତ୍ତ ରଖିଲେ ୪୨ ମୌଜା ସମବାୟ ଶୀତଳ ଭଣ୍ଡାର ଚାଲିପାରିବ। ୧୯୬୨ ମସିହାରେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତିଙ୍କଠାରୁ ସମବାୟ ବିଭାଗ ଜମି କିଣି ଉକ୍ତ ଶୀତଳଭଣ୍ଡାର ନିର୍ମାଣ କରିଥିଲା। ହେଲେ ଉକ୍ତ ଜମିର ମାଲିକାନା ଏବେ ବି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନଁାରେ ରହିଛି। ସରକାର ପ୍ରଥମେ ଏହାକୁ ସମବାୟ ବିଭାଗ ଅଧୀନକୁ ଆଣିବା ଦରକାର ବୋଲି ସେ କହିଛନ୍ତି। ସେହିପରି ୪୨ ମୌଜା ଦେଉଳି ଅଞ୍ଚଳର ଚାଷୀ ସନ୍ତୋଷ କୁମାର ପତି କହିଛନ୍ତି, ଏହି ଶୀତଳ ଭଣ୍ଡାର ଚାଲିବା ପାଇଁ ଘରୋଇ ସଂସ୍ଥା ଉପରେ ନ ଛାଡ଼ି ଏଥିପାଇଁ ସରକାର ସବ୍‌ସିଡି ଦେଲେ ଅଧିକ ପ୍ରୋତ୍ସାହନ ମିଳିପାରନ୍ତା। କଟକ ଉପ ସହକାରୀ ସମବାୟ ନିବନ୍ଧକ ସୁଶାନ୍ତ କୁମାର ମିଶ୍ର କହିଛନ୍ତି, ସ୍ବଳ୍ପ ବିଦ୍ୟୁତ୍‌ ଖର୍ଚ୍ଚରେ କିପରି ନୂଆ ଯନ୍ତ୍ରାଂଶ ଦ୍ୱାରା ଶୀତଳ ଭଣ୍ଡାର ଚାଲିବ ସେଥିପାଇଁ ଘରୋଇ ସଂସ୍ଥା ଇଛୁକ। ତେବେ ଟେଣ୍ଡର ଫାଇଲ ଖୋଲାଯିବା ପରେ ଏହାକୁ କେଉଁ ସଂସ୍ଥା ନେବାକୁ ଇଛୁକ ତାହା ଜଣାପଡିବ।