ଘରର ଅଳିଆ ବିକ୍ରି କରି କୋଇଲା ମନ୍ତ୍ରଣାଳୟ ପାଇଲା ଏତେ କୋଟି ଟଙ୍କା, ଖବର ଶୁଣି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୫।୧୦: ଆଲୋକର ପର୍ବ ଦୀପାବଳୀକୁ ଆଉ କେଇଟା ଦିନ ବାକି ଅଛି। ଏଥିପାଇଁ ଆପଣ ଘର ସଫାସଫି କାମ ଆରମ୍ଭ କରିସାରିଥିବେ। ଏହି କ୍ରମରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟ ସବୁ ଅଫିସରେ ସଫେଇ କାମ ଆରମ୍ଭ କରିଛନ୍ତି। କିନ୍ତୁ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛ। କୋଇଲା ମନ୍ତ୍ରଣାଳୟ ଏହାର ସବୁ କାର୍ଯ୍ୟାଳୟ ସଫେଇ କରି ସେଥିରୁ ବାହାର କରିଥିବା ଅଳିଆ ବିକ୍ରି କରି ୨୯ କୋଟି ଟଙ୍କା ରୋଜଗାର କରିଛି। ଏହି ଖବର ଜାଣିବା ପରେ ସମସ୍ତେ ତାଜୁବ୍‌ ହୋଇଯାଇଛନ୍ତି।

ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଦିଓ୍ବାଲି ପୂର୍ବରୁ ଏହାର ସମସ୍ତ କାର୍ଯ୍ୟାଳୟକୁ ସଫା କରି ବିଭିନ୍ନ ଅଦରକାରୀ ଜିନିଷ ବିକ୍ରି କରି ୨୮.୭୯ କୋଟି ଟଙ୍କା ରୋଜଗାର କରିଛି। ଅଳିଆ ସଫା କରିବା ପରେ ମନ୍ତ୍ରଣାଳୟର ଅଫିସ ଓ ଖଣି ଦ୍ୱାରା ଅଧିକୃତ ୫୦,୫୯,୦୧୨ବର୍ଗଫୁଟ ସ୍ଥାନ ଖାଲି ହୋଇଯାଇଛି। ଏହି ଅଞ୍ଚଳ ଏତେ ବଡ ଯେ ଅନୁମାନ କରାଯାଉଛି କି, ଏଠାରେ ୧୦୦ଗଜର ୫ହଜାରରୁ ଅଧିକ ଘର ନିର୍ମାଣ କରାଯାଇପାରିବ।

ଏପର୍ଯ୍ୟନ୍ତ ଏହି କବାଡିରୁ ମୋଟ ୧,୦୮,୪୬୯ ଫାଇଲ ବାହାର କରାଯାଇଛି। ସେଥିମଧ୍ୟରୁ ପ୍ରାୟ ୮୦୮୮ଟି ଫାଇଲ ଅଦରକାରୀ ଥିଲା। ତେଣୁ ତାକୁ ହଟାଇ ଦିଆଯାଇଛି। ବଳିଥିବା ପ୍ରାୟ ୮୦,୩୦୫ ଫାଇଲକୁ ସମୀକ୍ଷା କରାଯାଇ ୨୯,୯୯୩ ଫାଇଲକୁ ଇ-ଫାଇଲରେ ରୂପାନ୍ତରିତ କରାଯାଇଥିବା କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି।

Share