ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ ବୋଲିଂ କୋଚ୍ ମର୍ନି ମୋର୍କେଲ ଗୁରୁବାର ସଙ୍କେତ ଦେଇଛନ୍ତି। ତାଙ୍କ ମତରେ କୁଲଦୀପ ଯାଦବ, ମାନବ ସୁଥାର ଓ ରବୀନ୍ଦ୍ର ଜାଡେଜାଙ୍କ ପାଖରେ ଅତୁଳନୀୟ ଭେରାଇଟି ଓ ଉଇକେଟ ନେବାର ଦକ୍ଷତା ରହିଛି। ସୁଥାରଙ୍କ କ୍ଲାସିକାଲ ବାମହାତୀ ସ୍ପିନ ବୋଲିଂ, କୁଲଦୀପଙ୍କ ରିଷ୍ଟ ସ୍ପିନ ଓ ଜାଡେଜାଙ୍କ ଆକୁରେସି ମହାନ ବ୍ୟାଟରଙ୍କୁ ମଧ୍ୟ ସମସ୍ୟାରେ ପକାଇପାରିବ।
‘ଦଳରେ କୁଲଦୀପ ରହିଛନ୍ତି, ଯିଏ କି ଆଟାକିଂ ବୋଲିଂ କରନ୍ତି। ଆମ ପାଇଁ ତାଙ୍କ ଅଭିଜ୍ଞତା ଓ କ୍ଲାସକୁ ଅଣଦେଖା କରିବା କଷ୍ଟକର। ଏଣୁ ମୋ ମତରେ ସମସ୍ତ ୩ ସ୍ପିନର ଭିନ୍ନ ବୋଲିଂ କରନ୍ତି। ସୁଥାରଙ୍କୁ ଭଲ ଟର୍ନ ମିଳୁଥିବା ବେଳେ ଜାଡେଜାଙ୍କ ପାଖରେ ଆକୁରେସି ରହିଛି। ମୋ ମତରେ ୩ ବାମହାତୀ ସ୍ପିନରଙ୍କ ସହ ଖେଳିବା ଆମ ପାଇଁ ଚିନ୍ତାର ବିଷୟ ନୁହେଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗିଲ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ କେଉଁ ଭଳି ବ୍ୟବହାର କରିବେ। କିନ୍ତୁ ହଁ, ମୋ ମତରେ ଦକ୍ଷତା ଦୃଷ୍ଟିରୁ ସେମାନଙ୍କ ପାଖରେ ୨୦ ଉଇକେଟ ନେବାର ଦକ୍ଷତା ରହିଛି’ ବୋଲି ମୋର୍କେଲ ଖବରଦାତା ସମ୍ମିଳନୀରେ କହିଛନ୍ତି।