ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ହିମନ୍ତ ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇ କହିଛନ୍ତି, ଭାରତରେ ଯେପର୍ଯ୍ୟନ୍ତ ସନାତନର ଶକ୍ତି ରହିଛି, ସେପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଚୁଟି ବଙ୍କା କରିପାରିବେ ନାହିଁ ।
ହିମନ୍ତ କହିଛନ୍ତି, ଯଦି କେହି ୧୦-୨୦ ହଜାର ଲୋକଙ୍କୁ ଏକାଠି କରି ମୋଦିଙ୍କୁ ଅଟକାଇ ପାରିବେ ବୋଲି ଭାବୁଛନ୍ତି, ତେବେ ଏହା ସମ୍ଭବ ନୁହେଁ । ତାଙ୍କ କହିବା ଅନୁସାରେ, ଦେଶର କୋଟି କୋଟି ଲୋକଙ୍କ ଶକ୍ତି ମୋଦିଙ୍କ ସହ ରହିଛି ଏବଂ ସନାତନ ଭାରତର ଆଶୀର୍ବାଦ ମଧ୍ୟ ତାଙ୍କ ସହ ରହିଛି । ଏହି ଅବସରରେ ହିମନ୍ତ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଚାଇନା ସୀମାରେ କଂଗ୍ରେସ ସରକାର ସେନାକୁ ‘ରାମ ଭରସାରେ’ ଛାଡ଼ି ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ମତରେ, ମୋଦିଙ୍କ ନେତୃତ୍ୱରେ ଏବେ ଏକ ନୂଆ ଭାରତ ଗଠନ ହେଉଛି, ଯାହା କାହାକୁ ଭୟ କରେ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳରେ ଦେଶକୁ ନୂଆ ଦିଗ ଦେଇଥିବା ଅନେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରରେ ଲଗାତାର ତିନିଟି କାର୍ଯ୍ୟକାଳ ମୋଦିଙ୍କ ନେତୃତ୍ୱ ଉପରେ ଲୋକଙ୍କ ଭରସାକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ‘ବିକଶିତ ଭାରତ ସଂକଳ୍ପ ସଭା’କୁ ସମ୍ବୋଧିତ କରିବା ସମୟରେ ହିମନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମେତ ଭାଜପାର ବରିଷ୍ଠ ନେତାମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରିଥିଲେ।