Categories: HomeHome Left

‘ଜଳବାୟୁ ପରିବର୍ତ୍ତନ: ଆଡପ୍ଟେଶନ ଆଣ୍ଡ ସର୍ଭାଇଭାଲ’

ଭୁବନେଶ୍ୱର,୨୩ା୧୧: ଭୁବନେଶ୍ୱରଠାରେ ନଭେମ୍ବର ୨୩ ଓ ୨୪ ତାରିଖରେ ‘ଧରିତ୍ରୀ ଯୁବ ସମ୍ମିଳନୀ’ର ଷଷ୍ଠ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ‘ଜଳବାୟୁ ପରିବର୍ତ୍ତନ: ଆଡପ୍ଟେଶନ ଆଣ୍ଡ ସର୍ଭାଇଭାଲ’ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ନିଜର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବା ଏବଂ ଗଠନମୂଳକ ଆଲୋଚନା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର ଠୋସ୍‌ ସମାଧାନ ବାହାର କରିବାର ସୁଯୋଗ ଦେବ। ଏହା ଯୁବପିଢ଼ିଙ୍କ ମଧ୍ୟରେ ସୃଜନଶୀଳତାକୁ ଉଜ୍ଜୀବିତ କରି ପରିବେଶ ଉପଯୋଗୀ ପ୍ରଭାବଶାଳୀ ପଦକ୍ଷେପ ନେବା ପାଇଁ ପ୍ରେରଣା ଯୋଗାଇବ। ନଭେମ୍ବର ୨୩ରେ ‘ଗ୍ରୀନ୍‌ ହିରୋ ସମିଟ’, ‘ଗଣମାଧ୍ୟମ ଚକ୍ଷୁରେ ପରିବେଶ’ ଶୀର୍ଷକ ବିଶେଷଜ୍ଞଙ୍କ ପ୍ୟାନେଲ ଆଲୋଚନା ଏବଂ ‘ଧରିତ୍ରୀ କ୍ଲାଇମେଟ ଫିଲ୍ମ ଫେଷ୍ଟ’ ଆୟୋଜିତ ହେବ।

ସେହିପରି ଦ୍ୱିତୀୟ ଦିନ ଅର୍ଥାତ୍‌ ନଭେମ୍ବର ୨୪ରେ ପରିବେଶ ସମ୍ପର୍କିତ ଦୁଇଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ। ‘ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ’ ଶୀର୍ଷକ ପ୍ରଥମ ପ୍ୟାନେଲ ଆଲୋଚନାରେ ଡବ୍ଲ୍ୟୁଟିଆଇର ପ୍ରତିଷ୍ଠାତା ତଥା କାର୍ଯ୍ୟନର୍ବାହୀ ନିର୍ଦ୍ଦେଶକ ବିବେକ ମେନନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତାଙ୍କ ସହ ‘ଏଫଓଏସ୍‌ଇପି’ର ସଂରକ୍ଷଣ ଜୀବବିଜ୍ଞାନୀ ଡ. ବରଖା ସୁବ୍ବା ଏବଂ ଏନ୍‌ଭାଇରନମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଇଏଫଆଇ)ର ପ୍ରତିଷ୍ଠାତା ଅରୁଣ କ୍ରିଷ୍ଣମୂର୍ତ୍ତି ଆଲୋଚନାରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ‘ଆର୍ଦ୍ରଭୂମି ଓ ଚିଲିକା’ ଶୀର୍ଷକ ଦ୍ୱିତୀୟ ପ୍ୟାନେଲ ଆଲୋଚନାରେ ଡବ୍ଲ୍ୟୁଟିଆଇ ଏବଂ ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌-ଇଣ୍ଡିଆର ପରାମର୍ଶଦାତା ପ୍ରଫେସର ବି.ସି. ଚୌଧୁରୀ, ସାମୁଦ୍ରିକ ସଂରକ୍ଷଣ ବୈଜ୍ଞାନିକ ଡ. ଆରୋନ୍‌ ସାଭିଓ ଲୋବୋ, ଓୟୁଏଟି କୃଷି ଅର୍ଥନୀତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶୁଭାଙ୍ଗୀ ରଥ ଏବଂ ଦକ୍ଷିଣ ଫାଉଣ୍ଡେଶନର ପ୍ରତିଷ୍ଠାତା ଟ୍ରଷ୍ଟି ପ୍ରଫେସର କାର୍ତ୍ତିକ ଶଙ୍କର ଯୋଗଦେବେ। ଏହି ଅବସରରେ ‘ଧରିତ୍ରୀ କ୍ଲାଇମେଟ ଫିଲ୍ମ ଫେଷ୍ଟ’ର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ। ଏହା ସହିତ ମ୍ୟୁଜିକ ବ୍ୟାଣ୍ଡ ‘ଦି ଆହ୍ବାନ୍‌ ପ୍ରୋଜେକ୍ଟ’ ଦ୍ୱାରା ସ୍ବତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ବେକ ମେନନ୍‌ ହେଉଛନ୍ତି ଜଣେ ବିଶିଷ୍ଟ ବନ୍ୟପ୍ରାଣୀ ସଂରକ୍ଷଣବିତ୍‌, ପରିବେଶବିତ୍‌, ଲେଖକ ତଥା ଫଟୋଗ୍ରାଫର। ବିଶେଷକରି ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ତାଙ୍କର ଗଭୀର ଆଗ୍ରହ ଏବଂ ସମର୍ପିତ ଅବଦାନ ପାଇଁ ସେ ବିଶ୍ୱବ୍ୟାପୀ ପରିଚିତ। ନୂଆଦିଲ୍ଲୀରେ ରହୁଥିବା ମେନନ୍‌ ଭାରତରେ ୫ଟି ପ୍ରମୁଖ ପରିବେଶ ଓ ପ୍ରକୃତି ସଂରକ୍ଷଣ ସଂଗଠନର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏସୀୟ ହାତୀଙ୍କ ସୁରକ୍ଷା ଦିଗରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୦୧ରେ ସମ୍ମାନଜନକ ‘ରଫୋର୍ଡ ଆୱାର୍ଡ ଫର୍‌ ଇଣ୍ଟରନ୍ୟାଶନାଲ କଞ୍ଜରଭେଶନ’ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସେ ‘ୱାଇଲ୍ଡଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ’ (ଡବ୍ଲ୍ୟୁଟିଆଇ)ର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ‘ଇଣ୍ଟରନ୍ୟାଶନାଲ ଫଣ୍ଡ୍‌ ଫର୍‌ ଆନିମଲ ୱେଲ୍‌ଫେୟାର’ (ଆଇଏଫ୍‌ଏଡବ୍ଲ୍ୟୁ)ର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟରତ। ଭାରତର ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ଦିଗରେ ସରକାରଙ୍କୁ ପରାମର୍ଶ ଦେବାରେ ମେନନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ‘ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଷ୍ଟିୟରିଂ କମିଟି’, ‘ଜାତୀୟ ବନ୍ୟପ୍ରାଣୀ କାର୍ଯ୍ୟ ଯୋଜନା କମିଟି’, ‘ସିଆଇଟିଇଏସ୍‌ ପରାମର୍ଶଦାତା କମିଟି’ ଏବଂ ‘କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ’ର ପରିଚାଳନା ପରିଷଦ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ରହିଛନ୍ତି। ଏହାବ୍ୟତୀତ ସେ ୪ଟି ରାଜ୍ୟର ବନ୍ୟପ୍ରାଣୀ ପରାମର୍ଶଦାତା ବୋର୍ଡର ସଦସ୍ୟ ଏବଂ ଦିଲ୍ଲୀର ଜଣେ ଅବୈତନିକ ବନ୍ୟପ୍ରାଣୀ ୱାର୍ଡେନ ଭାବେ ଦାୟିତ୍ୱ ତୁଲାଉଛନ୍ତି। ବନ୍ୟପ୍ରାଣୀ ଅପରାଧ ରୋକିବା ଦିଗରେ ସେ ୫୦ରୁ ଅଧିକ ଦେଶର ବନ୍ୟପ୍ରାଣୀ ଅଧିକାରୀମାନଙ୍କୁ ତାଲିମ ଦେଇଛନ୍ତି।

ବିବେକ ମେନନ୍‌
ଡବ୍ଲ୍ୟୁଟିଆଇର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

Dharitri – Odisha’s No.1 Odia Daily

Share