କଟକଣାକୁ ଖାତିର ନାହିଁ

ଢେଙ୍କାନାଳ ଅଫିସ, ୬।୧୨: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାବେଳେ ଢେଙ୍କାନାଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଘରୋଇ ସାଇକୃପା ଆବାସିକ ବିଦ୍ୟାଳୟରେ କରୋନା ବିସ୍ଫୋରଣ ସହିତ ୫୬ ଛାତ୍ରୀଛାତ୍ର ଆକ୍ରାନ୍ତ ହେବା ନୂଆ ସମସ୍ୟା ସୃଷ୍ଟି କରିଛି। ପିଲାମାନଙ୍କୁ ସେମାନଙ୍କ ଅଭିଭାବକ ସାଙ୍ଗରେ ନେଇଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଗଣସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏଥିରୁ ମୁକୁଳିବାକୁ ପ୍ରଶାସନ ଘନ ଘନ ବୈଠକ କରି କଟକଣା କଡ଼ାକଡ଼ି କରିବାକୁ ନିବେଦନ କରୁଥିବାବେଳେ ଶିକ୍ଷାନୁଷ୍ଠାନଗୁଡ଼ିକ ଚେତୁନାହାନ୍ତି। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳରେ ଗାଇଡ୍‌ଲାଇନ୍‌ ବେଖାତିର କରି ରାତିଅଧିଆ ପାଠପଢ଼ା ଚାଲୁଛି। ସୂଚନା ପାଇ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଉଥିବାବେଳେ କଲେଜ କର୍ତ୍ତୃପକ୍ଷ ମୋବାଇଲ ବନ୍ଦ କରି ପାର୍‌ ହୋଇଯାଉଛନ୍ତି। ଏଭଳି ନିୟମ ଉଲ୍ଲଂଘନ କରୋନାକୁ ଖୋଲା ନିମନ୍ତ୍ରଣ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ସ୍ଥାନୀୟ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ଛାତ୍ରୀଛାତ୍ର କରୋନା ଆକ୍ରାନ୍ତ ହେବା ପରେ ଉକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ୧୦ ତାରିଖ ଯାଏ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ତେବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରି ବିଟ୍‌ ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟରେ ଶନିବାର ବିଳମ୍ବିତ ରାତି ଯାଏ ପାଠପଢ଼ା ଚାଲିଥିଲା। ସୂଚନା ପାଇ ଟାଉନ ଥାନା ପୋଲିସ ପିସିଆର୍‌ ଭ୍ୟାନରେ ଆସି ଚଢ଼ାଉ କରି ଏହାକୁ ବନ୍ଦ କରିଥିଲା। ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନେ ମୋବାଇଲ୍‌ ବନ୍ଦ କରିଦେଇଛନ୍ତି। ଫଳରେ ସେମାନଙ୍କଠାରୁ କୌଣସି ମତାମତ ମିଳିପାରିନାହିଁ।
ଏ ସଂକ୍ରାନ୍ତରେ ଟାଉନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ କୁହନ୍ତି, କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ଅଞ୍ଚଳରେ ଥିବା ବିଟ୍‌ ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟରେ ରାତିଅଧିଆ ପାଠପଢ଼ା ଚାଲିଥିବା ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି। ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଘଟଣା ନଜରକୁ ଆସିଛି। କୋଭିଡ୍‌ ଆଇନ ଉଲ୍ଲଂଘନ ହୋଇଥିବାରୁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ସୋମବାର କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ। ଉତ୍ତର ସନ୍ତୋଷଜନକ ନ ହେଲେ ଜରିମାନା ଆଦାୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।