ହୁମାରେ ଟ୍ରେନ୍‌ ରହଣି ନେଇ ଦାବିପତ୍ର

ଗଞ୍ଜାମ,୩୧ା୫(ଡି.ଏନ୍‌.ଏ.): ହୁମା ରେଳ ଷ୍ଟେଶନଠାରେ ଭୁବନେଶ୍ୱର ବିଶାଖାପାଟନମ୍‌ ଇଣ୍ଟରସିଟି ଏକ୍ସପ୍ରେସ୍‌ ରହଣି ନିମନ୍ତେ ହୁମା ପଞ୍ଚାୟତ ସମିତିସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଇଷ୍ଟକୋଷ୍ଟ ରେଳବାଇ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏଠାରେ ଉକ୍ତ ଟ୍ରେନ୍‌ ରହିବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ର, ଚାଷୀ, ମୂଲିଆ, ବେପାରୀ ଆଦି ଉପକୃତ ହୋଇପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ପୂର୍ବରୁ ବିଭିନ୍ନ ସମୟରେ ବିଭିନ୍ନ ପଦାଧିକାରୀଙ୍କୁ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ଦାବି କରି ଆସୁଛନ୍ତି କିନ୍ତୁ କୌଣସି ସୁଫଳ ମିଳୁନି ବୋଲି ପ୍ରତିନିଧି ଦଳ କହିଛନ୍ତି l ଶହ ଶହ ଲୋକ ରାତି ପାହିଲେ ନିଜ ନିଜ କର୍ମ ପାଇଁ ବାହାରକୁ ଯିବାକୁ ପଡୁଛି। ହୁମା ନିକଟସ୍ଥ ଗୋଖରକୁଦା, କଣ୍ଟିଆଗଡ଼ ଓ ପୋଡ଼ମପେଟା ଆଦି ଅଞ୍ଚଳର ମତ୍ସ୍ୟଜୀବୀ ବାଲୁଗାଁ,ଟାଙ୍ଗୀ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଆଦି ସହରକୁ ବିଭିନ୍ନ ରକମର ଶୁଖୁଆ ବିକ୍ରି କରିବାକୁ ଯାଇଥାନ୍ତି l ଏଥିସହ ଚାଷ ସମୟରେ ଆଖ ପାଖ ଅଞ୍ଚଳର ବହୁ ମହିଳା ପୁରୁଷ ଟ୍ରେନ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିବାକୁ ବାହାରକୁ ଯିବା ପାଇଁ ପଡ଼ିଥାଏ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରେଳ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି। ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି। ଦାବିପତ୍ର ଦେବା ବେଳେ ସମିତି ସଭ୍ୟ ପଲାଇଙ୍କ ସମେତ ସନ୍ତୋଷ ମହାପାତ୍ର, ଶାନ୍ତନୁ ବାରିକ, ପ୍ରଶାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।