ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର ସହ-ସଂଯୋଜକ ସୌରଭ ଦାସ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି, ଦେଶର ଦାୟିତ୍ୱ କେବଳ ଗୋଟିଏ ବର୍ଗର ନୁହେଁ, ସମସ୍ତଙ୍କର ।
ସୌରଭଙ୍କ କହିବା ଅନୁସାରେ, ଗତ ୧୨ ବର୍ଷରେ ସବୁଠାରୁ ଖରାପ ଦିଗ ହେଉଛି ସମାଜର ଏକ ବର୍ଗ ଦେଶର ଦାୟିତ୍ୱ କେବଳ ତାଙ୍କ ହାତରେ ଥିବା ଭାବିଥିଲା। ତାଙ୍କ ମତରେ ଯୁବପିଢ଼ି ଏହି ଚିନ୍ତାଧାରାରେ ପରିବର୍ତ୍ତନ ଆଣିଛନ୍ତି । ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପ୍ରତ୍ୟେକ ବର୍ଗର ଲୋକଙ୍କ ଅଂଶଗ୍ରହଣ ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ସହିତ ତାଙ୍କ ଆନ୍ଦୋଳନରେ ଯୋଗ ଦେବାକୁ ଇଚ୍ଛୁକ ସମସ୍ତଙ୍କୁ ସ୍ୱାଗତ ବୋଲି ସେ କହିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ CJP ନିଜର ବିରୋଧ ଜାରି ରଖିଛି । ସଂଗଠନ ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ସମେତ ନିର୍ବାଚନ ବ୍ୟବସ୍ଥା ଓ ଏସ୍ଆଇଆର୍ (SIR) ପ୍ରକ୍ରିୟାକୁ ନେଇ ବିଭିନ୍ନ ଦାବି ଉଠାଯାଇଛି ।CJP ପକ୍ଷରୁ ‘ଇଲେକ୍ସନ କମିଶନ ଠିକ୍ କରୋ’ ଅଭିଯାନ ଚଳାଇବା କଥା ମଧ୍ୟ କୁହାଯାଇଛି। ଦଳର ଦାବି ଅନୁସାରେ, ନିର୍ବାଚନ ପ୍ରକ୍ରିୟାରେ ଅଧିକ ପାରଦର୍ଶିତା ଓ ଜବାବଦେହିତା ଆବଶ୍ୟକ।
CJP ପୂର୍ବରୁ NEET ପେପର ଲିକ୍ ସମେତ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରିଥିବା ଦେଖାଯାଇଥିଲା । ସୌରଭ ଦାସଙ୍କ ବୟାନର ମୁଖ୍ୟ ବାର୍ତ୍ତା ହେଉଛି ଦେଶରେ ବ୍ୟବସ୍ଥା ପରିବର୍ତ୍ତନ ଓ ଜବାବଦେହିତା ପାଇଁ କେବଳ କିଛି ଲୋକ ନୁହେଁ, ସମସ୍ତଙ୍କ ଅଂଶଗ୍ରହଣ ଆବଶ୍ୟକ।