ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରିବା ଏବଂ ରାଜନୀତି କରିବାକୁ ନେଇ ବିରୋଧୀଙ୍କ ଉପରେ ମଧ୍ୟ ନିଶାନା ସାଧିଛନ୍ତି। ସିଜେପିର ବିକ୍ଷୋଭ ପ୍ରଦର୍ଶନ ପୂର୍ୱରୁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀରେ ୪୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଛି, ଏହା ବ୍ୟତୀତ ବହୁ ସଂଖ୍ୟାରେ ଟ୍ରେନ ବାତିଲ କରାଯାଇଛି। ଏହା ପରେ ଚିରାଗ ପାସୱାନ କହିଛନ୍ତି ଯେ ସହରକୁ ବାରମ୍ୱାର ଅଚଳ କରିବା ଠିକ ନୁହେଁ। ସୂଚନାଯୋଗ୍ୟ, କକରୋଚ ଜନତା ପାର୍ଟି ମୁଖ୍ୟ ର୍ନିବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ର୍ନିବାଚନୀ ସଂସ୍କାର ଲାଗୁ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି।
ଚିରାଗ ପାସୱାନ କହିଛନ୍ତି, “ଏମାନେ ଭାରତର ଯୁବପିଢ଼ି, ଏମାନଙ୍କୁ କେହି ଅଟକାଇ ପାରିବେ ନାହିଁ। କିଏ କେତେ ଟ୍ରେନ ଅଟକାଇବ, କେତେ ଯୋଗାଯୋଗ ବନ୍ଦ କରିବ, କେତେ ରାସ୍ତା ଜାମ କରିଦେବ? ଭାରତର ଯୁବପିଢ଼ିଙ୍କ ପାଖରେ ବିଶ୍ୱକୁ ବାଟ ଦେଖାଇବାର ସାମର୍ଥ୍ୟ ରହିଛି, ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ।”
ବିରୋଧୀଙ୍କ ଉପରେ ବର୍ଷି ପାସୱାନ କହିଛନ୍ତି ଯେ ସେମାନେ ରାଜନୀତି କରୁଛନ୍ତି ଏବଂ କେବଳ ବିକ୍ଷୋଭ ପ୍ରଦର୍ଶନ କରିବାରେ ଆଗ୍ରହ ରଖୁଛନ୍ତି, କିନ୍ତୁ ସମାଧାନ ଖୋଜିବାରେ ସେମାନଙ୍କର କୌଣସି ଆଗ୍ରହ ନାହିଁ। ସେ କହିଛନ୍ତି, “ଆପଣ ନିର୍ୱାଚନ ଜିତି ପାରୁନାହାନ୍ତି ଏବଂ ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀ ସମୟ ନେଇ ମୁଖ୍ୟ ର୍ନିବାଚନ କମିଶନରଙ୍କୁ ଭେଟିବା ଉଚିତ।