ନୂଆଦିଲ୍ଲୀ,୧୪।୧୦: ଭାରତର ରାଜନୈତିକ ପ୍ରସଙ୍ଗକୁ ନେଇ ପୁଣି ଥରେ ବଡ଼ ବୟାନ ଦେଇଛନ୍ତି ଆମେରିକୀୟ ଗାୟକ ମେରି ମିଲବେନ । CJP ନେତାମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ଆନ୍ଦୋଳନ ଚଳାଇଥିବା ବେଳେ, ଏହି ସଂଗଠନକୁ ଆମେରିକୀୟ ଡୋନରଙ୍କଠାରୁ ଆର୍ଥିକ ସହାୟତା ମିଳୁଥିବା ମିଲବେନ ଅଭିଯୋଗ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ କରି ମେରି ମିଲବେନ ଭାରତର ଯୁବପିଢ଼ିଙ୍କୁ ଦେଶ ପାଇଁ ଆଗକୁ ଆସିବାକୁ ଆହ୍ୱାନ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ଅଭିଜିତ ଦୀପକେ ଏବଂ CJPକୁ ଏପରି ଆମେରିକୀୟ ଡୋନରଙ୍କଠାରୁ ଅର୍ଥ ମିଳୁଛି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ୱରେ ଭାରତର ଭବିଷ୍ୟତକୁ ବିରୋଧ କରୁଛନ୍ତି। ନରେନ୍ଦ୍ର ମୋଦି ଦୀର୍ଘ ୨୫ ବର୍ଷ ଧରି ଭାରତର ସେବା କରିଛନ୍ତି । ସେ ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିବା ସହ କ୍ରମାଗତ ତିନିଥର ନିର୍ବାଚିତ ହୋଇଛନ୍ତି । ତାଙ୍କ ମତରେ, ମୋଦି ଆମେରିକାର ବିଘଟନକାରୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇବେ ନାହିଁ।
ମିଲବେନ ଆହୁରି ଅଭିଯୋଗ କରିଛନ୍ତି ଯେ, କିଛି ଡୋନର ବିଶ୍ୱର ବିଭିନ୍ନ ଦେଶର ରକ୍ଷଣଶୀଳ ନେତାମାନଙ୍କୁ ଟାର୍ଗେଟ କରିଥାନ୍ତି । ତାଙ୍କ କହିବା ଅନୁଯାୟୀ, ଆମେରିକାରେ ଶିକ୍ଷା ଗ୍ରହଣ କରିଥିବା କିଛି ବ୍ୟକ୍ତିଙ୍କୁ ପ୍ରଭାବିତ କରି ନିଜ ଦେଶକୁ ଫେରାଇ ଅସ୍ଥିରତା ସୃଷ୍ଟି କରିବା ପାଇଁ ଅର୍ଥ ଯୋଗାଇ ଦିଆଯାଏ। ସେ ଭାରତରେ ଜନ୍ମ ହୋଇଥିବା, ବଢ଼ିଥିବା ଏବଂ ଶିକ୍ଷା ଗ୍ରହଣ କରିଥିବା ଯୁବକଯୁବତୀଙ୍କୁ ଏକଜୁଟ ହୋଇ CJPର ବିଚାରଧାରାକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ଆହ୍ୱାନ ଦେଇଛନ୍ତି । ଗଣତନ୍ତ୍ର ଓ ସ୍ୱାଧୀନତାର ସୁରକ୍ଷା ପାଇଁ ଏକ ପ୍ରତିବାଦୀ ଆନ୍ଦୋଳନ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ନ୍ୟୁୟର୍କର ମେୟର ଜୋହରାନ ମମଦାନୀଙ୍କୁ ମଧ୍ୟ ମେରି ମିଲବେନ ସମାଲୋଚନା କରିଥିଲେ। RSS ମୁଖ୍ୟ ମୋହନ ଭାଗବତଙ୍କ ଆମେରିକା ଗସ୍ତ ଏବଂ ନ୍ୟୁୟର୍କର ମ୍ୟାଡିସନ ସ୍କୋୟାର ଗାର୍ଡେନରେ ତାଙ୍କ କାର୍ଯ୍ୟକ୍ରମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେତେବେଳେ ମିଲବେନ ଅଭିଯୋଗ କରିଥିଲେ ଯେ, ମୋହନ ଭାଗବତଙ୍କ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ଲୋକେ ପ୍ରଧାନମନ୍ତ୍ରୀ ମୋଦି ଓ ଭାଜପାର ବିରୋଧୀ ହୋଇଥିବାରୁ ଏପରି କରୁଛନ୍ତି । ସମାଜବାଦୀ ଚିନ୍ତାଧାରାକୁ ନେଇ ମଧ୍ୟ ସେ ମମଦାନୀଙ୍କୁ ସମାଲୋଚନା କରିଥିଲେ।
ତେବେ CJPକୁ ଆମେରିକୀୟ ଡୋନରଙ୍କଠାରୁ ଅର୍ଥ ମିଳୁଥିବା ନେଇ ମେରି ମିଲବେନଙ୍କ ଅଭିଯୋଗ ଏବେ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।