୧୦ରେ ସିଜେପିର ଦିଲ୍ଲୀ ବିକ୍ଷୋଭ

ନୂଆଦିଲ୍ଲୀ,୪ା୧୦(ପି.ଟି.): ମୁଖ୍ୟ ନିର୍ୱାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଯଦି ଇସ୍ତଫା ନ ଦିଅନ୍ତି, କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଅକ୍ଟୋବର ୧୦ରେ ନୂଆଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବ। ମୁକ୍ତ ଓ ନ୍ୟାୟସଙ୍ଗତ ନିର୍ୱାଚନ ଚାହୁଁଥିବା ପ୍ରତ୍ୟେକ ନାଗରିକ ଏହି ଆନ୍ଦୋଳନରେ ଭାଗନେବାକୁ ସିଜେପି ଆହ୍ୱାନ ଦେଇଛି।
ନିର୍ୱାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ଅନିୟମିତତା ଅଭିଯୋଗରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ଶୁକ୍ରବାର ମୁମ୍ୱାଇରେ ଜେଲଭରୋ ଆନ୍ଦୋଳନ କରିଥିବାବେଳେ ୧୦ରେ ଦିଲ୍ଲୀରେ ବିକ୍ଷୋଭ କରିବାକୁ ଯାଉଛି। ଯଦି ଜ୍ଞାନେଶ ଇସ୍ତଫା ନ ଦିଅନ୍ତି, ତେବେ ଦେଶର ପ୍ରତି କୋଣରୁ ନାଗରିକ ଓ ଆନ୍ଦୋଳନକାରୀମାନେ ନୂଆଦିଲ୍ଲୀରେ ଏକତ୍ର ହେବେ ଏବଂ ଯନ୍ତରମନ୍ତରରେ ବିଶାଳ ବିକ୍ଷୋଭ କରାଯିବ ବୋଲି ସିଜେପି ପ୍ରତିଷ୍ଠାତା ତଥା ଆବାହକ ଅଭିଜିତ୍‌ ଦୀପ୍‌କେ ଶନିବାର କହିଛନ୍ତି। ଯଦି ଦିଲ୍ଲୀ ପୋଲିସ ଅଟକାଇବାକୁ ଉଦ୍ୟମ କରେ, ତେବେ ସେମାନେ ଯେଉଁଠି ଅଟକାଇବେ, ତାହା ଆମ ପାଇଁ ଯନ୍ତରମନ୍ତର ହେବ। ଆମେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବୁ ଓ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବୁ ବୋଲି ଦୀପ୍‌କେ କହିଛନ୍ତି। ଯନ୍ତରମନ୍ତର ୨.୦ ପାଇଁ ଶୁକ୍ରବାର ଦୀପ୍‌କେ ଚେତାବନୀ ଦେଇଥିଲେ।

Share