ୱାଶିଂଟନ୍/କାବୁଲ୍,୧୩।୧୧: ଆମେରିକାର ଗୋଇନ୍ଦା ଏଜେନ୍ସି ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି (CIA) ଆଫଗାନିସ୍ତାନର କୋଟି କୋଟି ଡଲାରର ହେରୋଇନ୍ ବ୍ୟବସାୟକୁ ଦୁର୍ବଳ କରିବା ପାଇଁ ୨୦୦୪ ରୁ ୨୦୧୫ ମଧ୍ୟରେ ଏକ ଦଶନ୍ଧି ଧରି ଏକ ଗୁପ୍ତ ଅଭିଯାନ ଚଳାଇଥିଲା। ‘ଦ ୱାଶିଂଟନ୍ ପୋଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ, CIA କ୍ଷେପଣାସ୍ତ୍ର ବଦଳରେ ପରିବର୍ତ୍ତିତ ପୋସ୍ତ ମଞ୍ଜି ବ୍ୟବହାର କରିଥିଲା।
୧୪ ଜଣ ପୂର୍ବତନ ଆମେରିକୀୟ ଅଧିକାରୀଙ୍କ ସୂଚନାନୁସାରେ, CIA ଆଫଗାନିସ୍ତାନର ଚାଷ ଜମିରେ ବିଲିୟନ୍ ବିଲିୟନ୍ ପୋସ୍ତ ମଞ୍ଜି ଆକାଶରୁ ପକାଇଥିଲା। ଏହାର ଲକ୍ଷ୍ୟ ଥିଲା – ଅଫିମ ଫସଲର ରାସାୟନିକ ଶକ୍ତିକୁ (chemical yield) ହ୍ରାସ କରିବା, ଯାହାଦ୍ୱାରା ହେରୋଇନ୍ ଉତ୍ପାଦନ ଲାଭଜନକ ହେବ ନାହିଁ।
ଏହାକୁ ‘ନନ୍-ମିଲିଟାରି ସମାଧାନ’ ଭାବେ ଦେଖାଯାଉଥିଲା। ୨୦୦୪ ଶେଷ ଭାଗରେ ବ୍ରିଟିଶ C-130 ବିମାନ ସହାୟତାରେ ହେଲମାନ୍ଦ ଏବଂ ନାଙ୍ଗାରହାରରେ (ମୁଖ୍ୟ ଅଫିମ ଚାଷ ଅଞ୍ଚଳ) ରାତିରେ ମଞ୍ଜି ବର୍ଷା କରାଯାଉଥିଲା।
ଏହି ପୋସ୍ତ ମଞ୍ଜିଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା ଯାହାର ଆଲ୍କାଲଏଡ୍ (alkaloid) ସ୍ତର କମ୍ ଥିଲା। ଏହି ଆଲ୍କାଲଏଡ୍ ହିଁ ଅଫିମକୁ ହେରୋଇନରେ ପରିଣତ କରିଥାଏ।
ଏହି କାର୍ଯ୍ୟକ୍ରମ ଏତେ ଗୁପ୍ତ ଥିଲା ଯେ, ଆମେରିକାର ବହୁ ବରିଷ୍ଠ ପେଣ୍ଟାଗନ୍ ଏବଂ ଷ୍ଟେଟ୍ ଡିପାର୍ଟମେଣ୍ଟ ଅଧିକାରୀ ତଥା ତତ୍କାଳୀନ ଆଫଗାନିସ୍ତାନ ରାଷ୍ଟ୍ରପତି ହାମିଦ୍ କରଜାଇଙ୍କ ସରକାର ଏ ବିଷୟରେ କିଛି ଜାଣି ନଥିଲେ।
କିଛି ବର୍ଷ ପାଇଁ ଏହି ଯୋଜନା “କିଛି ମାତ୍ରାରେ ସଫଳତା” ଦେଇଥିବା ପୂର୍ବତନ ଅଧିକାରୀମାନେ କହିଥିଲେ ମଧ୍ୟ, ଅନ୍ୟମାନେ ସ୍ୱୀକାର କରିଛନ୍ତି ଯେ ଏହା ଦୀର୍ଘକାଳୀନ ପ୍ରଭାବ ପକାଇବାରେ ବିଫଳ ହୋଇଥିଲା। ୨୦୧୮ ରେ ଆମେରିକାର ଏକ ରିପୋର୍ଟ ମଧ୍ୟ ଦର୍ଶାଇଥିଲା ଯେ କୌଣସି ଆମେରିକୀୟ ନିଶା ନିୟନ୍ତ୍ରଣ ପଦକ୍ଷେପ ଅଫିମ ଚାଷକୁ ସ୍ଥାୟୀ ଭାବରେ ହ୍ରାସ କରିପାରିନାହିଁ।

