Categories: ଫୁରସତ

ବୃଷଭ ବିଚାର

ଆଜି ଆମ ଏରିଆର ଷଣ୍ଢମାନଙ୍କ ଏକ ମିଟିଂ ବସିଥିଲା । ବୁଲା ଫାଙ୍କାରେ ବୁଲୁଥିବା ଷଣ୍ଢମାନଙ୍କ ଚିନ୍ତାର କାରଣ ହେଲା ଆସନ୍ତା ରାଖୀ ପୂନେଇଁ । ଷଣ୍ଢଙ୍କ ସର୍ଦ୍ଦାର କହିଲା ଆମେ ହେଲୁ ଜାତିରେ ଷଣ୍ଢ । ନା ଆମର ଅଛି ପରିବାର ଚିନ୍ତା ନା ସଂସାର ଚିନ୍ତା । ସାରା ପୃଥିବୀଟା ଆମ ପାଇଁ ଗାଈମୟ। ସମ୍ପର୍କ ଭିତରେ ବାନ୍ଧି ନ ହେବା ପାଇଁ ଆମେ ଷଣ୍ଢ ଜନ୍ମ ପାଇଛୁ । କିନ୍ତୁ ଗତ ରାଖୀ ପୂର୍ଣ୍ଣିମାରେ ଗାଈମାନେ ଯେଉଁ ଉତ୍ପାତ କଲେ ସେ ବିଷୟରେ ଆଉ ଅଧିକ କହି ଆପଣମାନଙ୍କ ବହୁ ମୂଲ୍ୟ ସମୟ ନଷ୍ଟ କରିବିନି । କେବଳ ଏତିକି କହିବି ରାଖୀ ପୂର୍ଣିମାକୁ ଆଉ ଦୁଇ ତିନିଦିନ ବାକି ରହିଲା । ତା’ ପୂର୍ବରୁ ଆମକୁ କିଛି କରିବାକୁ ପଡ଼ିବ । ନଚେତ ମୋ ଭଳି ଅବସ୍ଥା ସମସ୍ତଙ୍କର ହେବ । ଗତବର୍ଷ କେବଳ ମୋ ହାତରେ ଅଧ ସେଞ୍ଚୁରିରୁ ଅଧିକ ରାଖୀ ବନ୍ଧାହୋଇଥିଲା । ମୋ ଜାଣିବାରେ ଆମ ଏରିଆରେ ଏତେ ଗାଈ ନାହାନ୍ତି, ଯେତିକି ସେଦିନ ମୋ ହାତରେ ରାଖୀ ବନ୍ଧାହୋଇଥିଲା । ଖାସ୍‌ ସେଇଥିପାଇଁ, ବର୍ଷେ ହେଲାଣି ମୁଁ କିଭଳି ବ୍ରହ୍ମଚର୍ଯ୍ୟ ପାଳନ କରି ଜୀବନ ବିତଉଛି ତାହା କେବଳ ମୁଁ ଜାଣେ । ଯୁଆଡ଼େ ଦେଖ ସିଆଡ଼େ ମୋତେ ଖାଲି ଭଉଣୀ ଭଉଣୀ ନଜର ଆସୁଛନ୍ତି । କ’ଣ ଏଇଥିପାଇଁ ଷଣ୍ଢ ଜନମ ପାଇଥିଲି ?

ଧିକ୍‌ ମୋ ଷଣ୍ଢ ପଣିଆକୁ । ଆଉ ଗୋଟେ ବୟସ୍କ ଷଣ୍ଢ କହିଲା, ଆମେ ଅହେତୁକ ପୌରୁଷପଣିଆ ଦେଖେଇବାକୁ ଯାଇ ରାସ୍ତା ଘାଟ, ଦିନ ରାତି କିଛି ମାନୁନୁ। ଆମକୁ ଟିକେ ସଂଯମ ରକ୍ଷାକରିବା ଉଚିତ । ଆମେ ନିଜର ବଳ କଷାକଷି ପାଇଁ ବିଚ୍‌ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଲଢ଼େଇ କରି ଯେତିକି ସମୟ ନଷ୍ଟ କରୁଛୁ, ତାକୁ ଗାଈଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ କଲେ ସେମାନେ ମଧ୍ୟ ଆମ ପ୍ରତି କୃତଜ୍ଞ ରୁହନ୍ତେ । ସହଜେ ଏବେ କରୋନା ଯୋଗୁ ଗୋ ପାଳକଙ୍କ ଅବସ୍ଥା ଅସମ୍ଭାଳ । ଗୁହାଳେ ବାନ୍ଧି ଖାଇବାକୁ ଦେବାକୁ ସେମାନଙ୍କ ପାଖରେ ଆଉ ଧନ ନାହିଁ । ସକାଳୁ ଗାଈଙ୍କୁ ବାହାରେ ଛାଡ଼ି ଦେଉଛନ୍ତି ।

ଆମ ଭୟରେ ଗାଈମାନେ ପରିବା ମାର୍କେଟ, ମନ୍ଦିର କି ଘାସପଡ଼ିଆ ପାଖ ମାଡୁନାହାନ୍ତି । ରାସ୍ତାଯାକ ବୁଲି ବୁଲି ଛିଣ୍ଡା ଜରି, ପୁରୁଣା ଔଷଧ, ଘର ଅଇଁଠା ଖାଇ ସେମାନଙ୍କ ଡଉଲ ଡାଉଲ ଚେହେରା ହାଡୁଆ ଦେଖାଗଲାଣି। ଫି ବର୍ଷ ସେମାନେ ଗର୍ଭବତୀ ହେବା ଦ୍ୱାରା ଭରାଯବାନୀରେ ବୁଢ଼ୀ ଭଳି ଦେଖାଯାଉଛନ୍ତି ।

ଆମର ସେଥିପ୍ରତି ନିଘା ନାହିଁ । କିଛି ଯୁବ ଷଣ୍ଢ ଯେଉଁଠି ଯେତେବେଳେ ଯାହାକୁ ପାଇଲେ…. ଛିଃ …। ଆମ ବେଳେ କିନ୍ତୁ ଆମେ ଏତେ ଉତ୍ପାତିଆ ହେଉ ନ ଥିଲୁ । ଆମ ସମୟରେ ଏ ଏରିଆର ଗାଈମାନଙ୍କ ସୁନ୍ଦରତା ଯୋଗୁ ଆଖପାଖ ଏରିଆର ଷଣ୍ଢ ଆମ ସୀମା ସରହଦ ଭିତରକୁ ଲୁଚିଛପି ଆସୁଥିଲେ । ଆଜି ଯଦି ଅତିଷ୍ଠ ଗାଈମାନେ ଆମକୁ ରାଖୀ ବାନ୍ଧିବାକୁ ଯୋଜନା କରୁଛନ୍ତି ସେଥିପାଇଁ କେବଳ ଆମ ଭିତରେ ଥିବା କିଛି ଉଚ୍ଛୃଙ୍ଖଳ ଯୁବ ଷଣ୍ଢମାନେ ହିଁ ଦାୟୀ । ସର୍ଦ୍ଦାର କହିଲା ଦାଦା ସବୁ ଠିକ୍‌ ଯେ, ହେଲେ ଏବେ କରାଯିବ କ’ଣ ? ସ୍କୁଲ ପାଖରେ ବୁଲି ବୁଲି ପିଲାଙ୍କ ଅଲକ୍ଷ୍ୟରେ ସେମାନଙ୍କ ବହି ଖାତା ଖାଇ ନିଜକୁ ବୁଦ୍ଧିଆ ବୋଲାଉଥିବା ଷଣ୍ଢ କହିଲା, ଆମେ ଯଦି ରାଖୀ ପୂର୍ଣ୍ଣିମା ଦିନ କୁଆଡ଼େ ଅଦୃଶ୍ୟ ହୋଇଯାଆନ୍ତେ ତେବେ ଗୋଟେ ଚିନ୍ତା ଯାଆନ୍ତା । କିନ୍ତୁ ପ୍ରଶ୍ନ ହେଲା ଅଦୃଶ୍ୟ ହେବେ କେମିତି ! ଜଣେ କହିଲା ଚାଲ ଆମେ ମ୍ୟୁନିସିପାଲିଟି ବାଲାଙ୍କୁ କହିବା ସେମାନେ ଯେମିତି ଆମକୁ ଦଶହରା ପୂର୍ବରୁ ନେଇ ସହରଠୁ କୋଡ଼ିଏ ତିରିଶ କିଲୋମିଟର ଦୂରରେ ଛାଡ଼ି ଦିଅନ୍ତି ଓ ଆମେ ସେଠୁ ଚାଲି ଚାଲି ପୁଣି ସହରରେ ପହଞ୍ଚତ୍ଲା ବେଳକୁ ଦଶହରା ସରିଯାଇଥାଏ, ସେମିତି ଆମକୁ ରାଖୀ ପୂର୍ଣ୍ଣିମା ପୂର୍ବରୁ ନେଇ ଦୂରରେ ଛାଡ଼ିଦେବେ, ଆମେ ସେଠାରୁ ଫେରୁ ଫେରୁ ରାଖୀ ପୂର୍ଣ୍ଣିମା ସରିଯାଇଥିବ । ସମସ୍ତଙ୍କ ମନକୁ କଥାଟା ପାଇଲା ।

ଜଣେ ଷଣ୍ଢ ମ୍ୟୁନିସିପାଲିଟି ବାଲାଙ୍କୁ ଫୋନକରି କହିଲା ଆଜ୍ଞା! ଆମକୁ ଦଶହରା ସମୟରେ ଯେମିତି ଧରି ସହର ବାହାରେ ଛାଡିଦିଅନ୍ତି ସେମିତି ଏବେ ଆମକୁ ନେଇଯାଆନ୍ତୁ । ସେପଟୁ ମ୍ୟୁନିସିପାଲିଟି ଅଧିକାରୀ କହିଲେ, ସେମିତି କେମିତି ହେବ? ଆମ ବଜେଟ୍‌ରେ କେବଳ ଦଶହରା ପୂର୍ବରୁ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ ମରାମତି ଓ ଷଣ୍ଢ ଧରିବା ପାଇଁ ଟଙ୍କା ଅଛି। ଏ ଅବେଳରେ ଷଣ୍ଢଧରିବା ପାଇଁ ଆମ ବଜେଟ୍‌ରେ ଫଣ୍ଡ ନାହିଁ ।

ତୁମେ ଏବେ ଆରାମରେ ବୁଲାବୁଲି କର, ଦଶହରା ପୂର୍ବରୁ ଦେଖିବା କହି ଫୋନ ରଖିଦେଲେ । କିଛି ସମୟ ପରେ ଆଉ ଗୋଟେ ଷଣ୍ଢ ଫୋନ କଲା ଆଜ୍ଞା! ମୁଁ ବହୁତ ମାରଣା ଷଣ୍ଢ ବୋଲି ଏ ଏରିଆରେ ଖ୍ୟାତି ଅଛି । ଆଜି ସକାଳୁ ଜଣଙ୍କୁ ମୋ ମୁନିଆ ଶିଙ୍ଗରେ ଭୁସି ଅଧାମରା କରିଛି, ତେଣୁ ମୋତେ ଶୀଘ୍ର ଧରି କାଞ୍ଜିଆହୁଦାରେ ଛାଡ଼ି ଦିଆଯାଉ ।

ସେପଟୁ ଅଧିକାରୀ କହିଲେ, ଏଥିରେ ତୁମର କ’ଣ ଭୁଲ୍‌ ରହିଲା । ସେ ଲୋକଟା କ’ଣ ଅନ୍ଧ? ଜାଣିଶୁଣି ମାରଣା ଷଣ୍ଢ ପାଖକୁ କାହିଁକି ଯାଉଥିଲା ? ଏମିତିରେ କେଉଁ ନିୟମ ଅଛି ତୁମକୁ ନେଇ ଜେଲରେ ରଖିବା ପାଇଁ ? ବରଂ ସେ ଲୋକ ଯଦି ଆହତ ହୋଇଛି ତାଙ୍କ ପାଇଁ ଆମର କ୍ଷତିପୂରଣ ବ୍ୟବସ୍ଥା ଅଛି । ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡରୁ କ୍ଷତିପୂରଣ ଦେବା ବ୍ୟବସ୍ଥା କରିଦେବୁ । ସବୁ ପ୍ରକାର ବାହାନା ଫେଲ୍‌ ହେବା ପରେ ଶେଷରେ ବୁଦ୍ଧିଆ ଷଣ୍ଢ ଫୋନ କଲା ଆଜ୍ଞା! ଦୁଇ ଦିନ ହେଲାଣି ମୋର ତରଳ ଝାଡା ସାଙ୍ଗକୁ ଦେହରେ ଭୀଷଣ ଜ୍ୱର । ପ୍ରବଳ ଥଣ୍ଡାରୁ ନାକରୁ ଫେଣ ବାହାରୁଛି ।

ନିଃଶ୍ୱାସ ନେବାରେ କଷ୍ଟ ହେଉଛି । ଲାଗୁଛି ମୋତେ କରୋନା ହୋଇଛି । ଶୀଘ୍ର ମୋତେ କ୍ୱାରାଣ୍ଟାଇନ ସେଣ୍ଟରକୁ ନିଆଯାଉ । ଘଣ୍ଟାଏ ହେଇଛି କି ନାହିଁ ଦୁଇଟା ବଡ଼ ଡାଲାବାଲା ଟ୍ରାକ୍ଟର ଧରି ମ୍ୟୁନିସିପାଲିଟିର ଜନସ୍ବାସ୍ଥ୍ୟବାଲା ପହଞ୍ଚତ୍ଲେ । ଷଣ୍ଢକୁ ସସମ୍ମାନେ ଗାଡ଼ିରେ ଚଢ଼େଇ ପଚାରିଲେ ତୁମେ ଆଉ କାହା କାହା ସହ ଏଇ ଦିନେ ଦୁଇଦିନ ଭିତରେ ମିଶିଛ ? କଣ୍ଟାକ୍ଟ ଟ୍ରେସିଂ ପାଇଁ ସେ ସମସ୍ତଙ୍କ କରୋନା ଟେଷ୍ଟ ହେବ । ଷଣ୍ଢ ବାକି ଅନ୍ୟ ସବୁ ଷଣ୍ଢଙ୍କ ଆଡ଼କୁ ଅନେଇ କହିଲା, ଆଜ୍ଞା ଆମେ ସମସ୍ତେ ଆଜି ଏକ ଜରୁରୀ ମିଟିଂ ପାଇଁ ଏଇଠି ଏକାଠି ହୋଇଥିଲୁ । ତା’ ପାଟିରୁ କଥା ସରିଛି କି ନାହିଁ ବାକି ସବୁ ଷଣ୍ଢ ଠେଲାପେଲା ହେଇ ଟ୍ରାକ୍ଟର ଡାଲାରେ ଚଢ଼ିଗଲେ ।

ସେଣ୍ଟରରେ ପହଞ୍ଚିଲା ପରେ ସମସ୍ତଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସାମ୍ପୁଲ ନିଆଗଲା । ଯେ ପର୍ଯ୍ୟନ୍ତ ଟେଷ୍ଟ ରିପୋର୍ଟ ନ ଆସିଛି ସେ ପର୍ଯ୍ୟନ୍ତ ସରକାରୀ ଅତିଥି ଭାବେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଗଲା । ବାହାରୁ ଯେମିତି କେହି ଆସି ଭେଟି ପାରିବେ ନାହିଁ କି ସେମାନେ ବାହାରକୁ ଯାଇପାରିବ ନାହିଁ ସେଥିପାଇଁ ଗେଟ୍‌ ବାହାରେ ପହରା ବ୍ୟବସ୍ଥା କରାଗଲା ।
ମଳୁ ଖୋଜୁଥିଲା ଯାହା ବଇଦ ଦେଲା ତାହା । ତିନିଦିନ ପରେ ଅର୍ଥାତ୍‌ ରାଖୀ ପୂର୍ଣ୍ଣିମା ପରଦିନ ସମସ୍ତଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଲା । ସମସ୍ତେ ଖୁସି ହୋଇ ନିଜ ନିଜ ଏରିଆକୁ ଫେରିଲେ । ଏପଟେ ସବୁ ଗାଈ ଏଯାଏ ସେ ବୁଦ୍ଧିଆ ଷଣ୍ଢକୁ ଖୋଜୁଛନ୍ତି, ଯିଏ ଏପରି ଏକ ସୂକ୍ଷ୍ମ ବୁଦ୍ଧି ଏମାନଙ୍କୁ ଦେଲା ।
-ଓଁ ଅଭିଜ୍ଞାନ ସାହୁ
ବନମାଳୀ ଭବନ,ଖାନନଗର, କଟକ
ମୋ-୯୪୩୭୦୧୦୭୫୮

 

Share