ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ଦୁବାଇ, ୮।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ଆବୁଧାବିରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ୪ଥର ଟାଇଟଲ୍‌ ଜିତିଥିବା ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ନେଟ୍ସରେ ଜୋର୍‌ଦାର ଅଭ୍ୟାସ ଚଳାଇଛି। ଏହି ଅବସରରେ ମୁମ୍ବାଇ ପାଇଁ ଖୁସି ଆସି ପହଞ୍ଚିଛି। ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଲିନ୍‌ ମୁମ୍ବାଇ ଦଳ ସହ ଯୋଗ ଦେଇଛନ୍ତି। ଜଣାପଡ଼ିଛି ଯେ, ଲିନ୍‌ ପ୍ରଥମେ କେତେକ ଟେଷ୍ଟର ସମ୍ମୁଖୀନ ହେବାପରେ କ୍ୱାରାଣ୍ଟାଇନରେ ରହି ପରେ ଦଳ ସହ ଅଭ୍ୟାସ ସେସନରେ ଯୋଗ ଦେବେ। ଲିନ୍‌ ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ରେ ୪୧ ମ୍ୟାଚ୍‌ ଖେଳି ୩୩.୬୮ ଆଭରେଜରେ ୧୨୮୦ ରନ୍‌ ସଂଗ୍ରହ କରିଛନ୍ତି। ଯେଉଁଥିରେ ୧୦ ଅର୍ଦ୍ଧଶତକ ସାମିଲ ରହିଛି। ଲିନ୍‌ ୨୦୧୨ରେ ଡେକାନ୍‌ ଚାଜର୍ସ ପକ୍ଷରୁ ଖେଳି ଆଇପିଏଲ୍‌ ପଦାର୍ପଣ କରିଥିଲେ। ଏହାପରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ସହିତ ଏହା ତାଙ୍କର ପ୍ରଥମ ସିଜନ ହେବ।

Share