Categories: ବାଣିଜ୍ୟ

କ୍ରୀସ୍‌ ଗୋପାଳକ୍ରିଷ୍ଣନ ଆର୍‌ବିଆଇ ଇନୋଭେଶନ ହବ୍‌ ଅଧ୍ୟକ୍ଷ

ମୁମ୍ବାଇ:ସେନାପଥୀ(କ୍ରିସ) ଗୋପାଳକ୍ରିଷ୍ଣନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଇନୋଭେଶନ ହବ୍‌ର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଇନଫୋସିସର ସହ ପ୍ରତିଷ୍ଠାତା ଥିବା ବେଳେ ସହ ଅଧ୍ୟକ୍ଷ ଭାର ମଧ୍ୟ ତୁଲାଇଛନ୍ତି। ଅଗଷ୍ଟରେ କେନ୍ଦ୍ରୀୟ ବ୍ୟାଙ୍କ ଇନୋଭେଣନ ହବ୍‌ ସମ୍ପର୍କରେ ଘୋଷଣା କରିଥିଲା। ଦେଶର ଫାଇନାନ୍ସିଆଲ ସେକ୍ଟରରେ ଅଭିନବତା ଆଣିବା ଦିଗରେ ଏହି ହବ୍‌ କାମ କରିବ। ଅଭିନବତାକୁ ଉତ୍ସାହିତ କରିବା ଦିଗରେ ଟେକ୍ନୋଲୋଜି ବ୍ୟବହାର ଏବଂ ନୂଆ ପରିବେଶ ଗଠନ ଦିଗରେ ଆର୍‌ବିଆଇର ଏହି ପ୍ଲାଟଫର୍ମ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ। ଗୋପାଳକ୍ରିଷ୍ଣନ ବର୍ତ୍ତମାନ ଷ୍ଟାର୍ଟଅପ୍‌ ପାଇଁ ଇନକ୍ୟୁବେଶନ ହବ୍‌ ଷ୍ଟାର୍ଟଅପ୍‌ ଭିଲେଜରେ ମୁଖ୍ୟ ମେଣ୍ଟର ଭାବେ କାମ କରୁଛନ୍ତି। ଆର୍‌ବିଆଇ ଇନୋଭେଶନ ହବ୍‌ କାର୍ଯ୍ୟକାରିତାକୁ ଦେଖିବା ଲାଗି ଏକ ଗଭର୍ନିଂ କାଉନସିଲ ରହିବ। ଏହାର ମୁଖ୍ୟ ଭାବେ ଅଧ୍ୟକ୍ଷ ରହିିବେ। ଏହି କାଉନସିଲରେ ଜଣେ ସିଇଓ ଅବସ୍ଥାପିତ ହେବେ। ସେହିଭଳି ଆଇଆଇଟି ମାଡ୍ରାସ ପ୍ରଫେସର ଅଶୋକ ଝୁନଝୁନଓ୍ବାଲା, ଆଇଆଇଏସ୍‌ସି ବାଙ୍ଗାଲୋରର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଏଚ୍‌.କ୍ରିଷ୍ଣମୂର୍ତ୍ତି, ଟିଭିଏସ୍‌ କ୍ୟାପିଟାଲର ସିଏମ୍‌ଡି ଗୋପାଳ ଶ୍ରୀନିବାସନ, ଏନ୍‌ପିସିଆଇର ପୂର୍ବତନ ସିଇଓ ଏପି ହୋତା, ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ମୃତ୍ୟୁଞ୍ଜୟ ମହାପାତ୍ର, ଆର୍‌ବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି.ରବି ଶଙ୍କର, ଆର୍‌ବିଆଇ ସିଜିଏମ୍‌ ଦୀପକ କୁମାର ଏବଂ ହାଇଦ୍ରାବାଦ ସ୍ଥିତ ଇନଷ୍ଟିଚ୍ୟୁଟ ଫର ଡେଭେଲପମେଣ୍ଟ ଆଣ୍ଡ ରିସର୍ଚ୍ଚ ଇନ୍‌ ବ୍ୟାଙ୍କିଙ୍ଗ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ କେ.ନିଖିଲ ଏହି କାଉନସିଲରେ ରହିଛନ୍ତି।

Share