Categories: ଖେଳ

ଓପନିଂ ସ୍ଲଟ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

କୋଲକାତା,୩।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଶୁବମାନ ଗିଲ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବେ, ସେ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ। ଏହି ସ୍ଲଟରେ ଖେଳିବା ପାଇଁ ୨୦ ଜଣିଆ ଭାରତୀୟ ଦଳରେ ଅଛନ୍ତି ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ। ଦୁହେଁ ଖୁବ୍‌ ଭଲ ସାଙ୍ଗ। ଘରୋଇ କ୍ରିକେଟରେ କର୍ନାଟକ ପାଇଁ ହେଉ କି ଆଇପିଏଲରେ ପଞ୍ଜାବ ଲାଗି ହେଉ। ଦୁହେଁ ଏକାଠି ଖେଳି ଆସୁଛନ୍ତି। ବର୍ତ୍ତମାନ ସ୍ଥିତି ଏଭଳି ଯେ, ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଓପନିଂ ସ୍ଲଟରେ ସ୍ଥାନ ମିଳିପାରିବ। ତେବେ ଗିଲଙ୍କ ଆହତ ସମସ୍ୟା ଉପରେ ବିସିସିଆଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

କ୍ରିକେଟରୁ ଭାଷ୍ୟକାର ପାଲଟିଥିବା ଦୀପ ଦାସଗୁପ୍ତା କହିଛନ୍ତି, ଭାରତ ନିକଟରେ ମୟଙ୍କ ଓ ରାହୁଲଙ୍କ ରୂପେ ଦୁଇଟି ବିକଳ୍ପ ରହିଛି। ମୁଁ ମୟଙ୍କଙ୍କୁ ସମର୍ଥନ କରିବି। ଅବଶ୍ୟ ସେ ଗତ ଦୁଇ ତିନୋଟି ମ୍ୟାଚ୍‌ରେ ପ୍ରଦର୍ଶନ କରିପାରି ନାହାନ୍ତି। କିନ୍ତୁ ମୋ ମତରେ ତାଙ୍କ ଟେଷ୍ଟ କ୍ୟାରିୟରର ଖୁବ୍‌ ଚମତ୍କାର। ଏଣୁ ତାଙ୍କୁ ପ୍ରାଥମିକତା ମିଳିବା ଉଚିତ୍‌। କାରଣ ତାଙ୍କୁ ଇଂଲଣ୍ଡ ପରିବେଶ ବେଶ୍‌ ସୁହାଏ। ଆଉ ତାଙ୍କ ଡିଫେନ୍ସ ଟେକନିକ ରାହୁଲଙ୍କ ଠାରୁ ଭଲ।

ଅନ୍ୟପକ୍ଷରେ ରାହୁଲ ସର୍ବଦା ଟପ୍‌ ଅର୍ଡରରେ ବ୍ୟାଟିଂ କରନ୍ତି। ଅଧିକ ହ୍ବାଇଟ୍‌ ବଲ ମ୍ୟାଚ୍‌ ଖେଳିବା କାରଣରୁ ତାଙ୍କ ଟେକ୍‌ନିକରେ ପରିବର୍ତ୍ତନ ଆସିଛି। ତାଙ୍କୁ ଡିଫେନ୍ସିଭ ଟେକ୍‌ନିକ ଉପରେ କାମ କରିବାକୁ ପଡ଼ିବ। କିନ୍ତୁ ସେ ଏହାକୁ ବେଶୀ ଗୁରୁତ୍ୱ ଦେଉ ନାହାନ୍ତି। ଏଣୁ ରାହୁଲ ଟେଷ୍ଟ ଫର୍ମାଟରେ ମଧ୍ୟକ୍ରମରେ ଖେଳିପାରିବେ।

Share