ଚିଟ ଫଣ୍ଡ ଠକେଇ ମାମଲା: ପ୍ରଦୀପଙ୍କ ପରେ ଶ୍ରୀକୃଷ୍ଣ ପାଢ଼ୀଙ୍କ ଜାମିନ ଆବେଦନ ଖାରଜ

ଛତ୍ରପୁର,୫।୩(ଡି.ଏନ୍‌.ଏ.): ଚିଟ ଫଣ୍ଡ ଠକେଇ ମାମଲା ସହ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢ଼ୀଙ୍କ ଦ୍ୱାରା ୨୩ ଫେବୃୟାରୀରେ ଦାଖଲ ହୋଇଥିବା ଜାମିନ ଆବେଦନକୁ ଏସଡିଜେଏମ ସନ୍ତୋଷ କୁମାର ପାଣିଗ୍ରାହୀ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅର୍ଥତତ୍ତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ ଓ ତାଙ୍କ ସହଯୋଗୀଙ୍କ ନାମରେ ବହୁ ସଂଖ୍ୟକ ମାମଲା ଏବେ ବି ବିଭିନ୍ନ କୋର୍ଟ କଚେରିରେ ବିଚାରାଧୀନ ହୋଇ ରହିଛି। ପୂର୍ବରୁ ଉକ୍ତ ମାମଲାରେ ପ୍ରଦୀପ ସେଠୀ ଓ ମନୋଜ ପଟ୍ଟନାୟକଙ୍କ ତରଫରୁ ଜାମିନ ନିମନ୍ତେ ଆବେଦନ କରାଯାଇଥିଲା ଓ ତାହା ଏସ୍‌ଡିଜେଏମ କୋର୍ଟରେ ୨୦ ଜାନୁଆରୀରେ ଖାରଜ ହେବା ସହ ଏଡିଜେ କୋର୍ଟରେ ମଧ୍ୟ ଖାରଜ ହୋଇଥିଲା।
ସେହିପରି ୨୭ଜାନୁୟାରୀରେ ଅନ୍ୟତମ ସହଯୋଗୀ ଜଗବନ୍ଧୁ ପଣ୍ଡାଙ୍କ ତରଫରୁ ତାଙ୍କ ନାମରେ ଚାଲୁଥିବା ଉକ୍ତ ମାମଲାକୁ ସମ୍ପୂର୍ଣ୍ଣ ଖାରଜ ନିମନ୍ତେ ଏସଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ ତାହା ମଧ୍ୟ ଖାରଜ ହୋଇଥିଲା। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ନିଯୁକ୍ତ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ପରିଚାଳନା କରିବା ସହ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ।