Posted inଫୁରସତ

ରାବଣ ଦେହରେ ମୁଁ କାହିଁକି ନିଆଁ ଲଗାଇଥାନ୍ତି ଯେ?

ସବୁଆଡ଼େ ନ ହେଲେ ବି ଦଶହରା ସମୟରେ କେଉଁଠି କେଉଁଠି ରାବଣ ପୋଡ଼ି ଉତ୍ସବର ଆୟୋଜନ ହୁଏ l ପ୍ରଥମେ ଛୋଟ କାଟର ସଭାଟିଏ ହୁଏ l ପରେ ସଭା ସମ୍ମୁଖରେ ବାଉଁଶ, କପଡ଼ା, ନଡ଼ା ଆଦିରେ ପୂର୍ବ ପ୍ରସ୍ତୁତ ରାବଣର ଏକ ବିରାଟ ପ୍ରତିକୃତିରେ ମୁଖ୍ୟ ଅତିଥି ଅଗ୍ନି ସଂଯୋଗ କରିଥାନ୍ତି l ଗଲା ବର୍ଷ ଏ ଲେଖକକୁ ମୁଖ୍ୟ ଅତିଥି ଭାବେ ସେମିତି ଏକ ଉତ୍ସବକୁ ଲୋଡ଼ା ଯାଇଥାଏ l ସଭା ପରେ ଆୟୋଜକ କର୍ତ୍ତl ମୋ ହାତକୁ ମହମବତିଟିଏ ବଢ଼ାଇଦେଇ ରାବଣ ପୋଡ଼ି ଉତ୍ସବର ଅୟମାରମ୍ଭ କରିବା ପାଇଁ ନମ୍ରତାର ସହ ଅନୁରୋଧ କଲେ l ଆମ ଗହଣରେ ମୋ ଠୁଁ ଢେର ବୟସ୍କ ଏବଂ କ୍ଷମତାଶାଳୀ ବିଶିଷ୍ଟ ଏକ ବ୍ୟକ୍ତି ମୁଖ୍ୟ ବକ୍ତା ଭାବରେ ସେଦିନ ସଭାରେ ଉପସ୍ଥିତ ଥିବାରୁ ସୌଜନ୍ୟତା ଦୃଷ୍ଟିରୁ ମହମବତିକୁ ମୁଁ ତାଙ୍କ ହାତକୁ ବଢ଼ାଇ ଦେଇ ମୋର ଏ କାର୍ଯ୍ୟ କରିବା ପାଇଁ ମୋ ବିବେକ ଅନୁମତି ଦେଉନାହିଁ ବୋଲି କହିବାରୁ ସେ କହିଲେ ନାଇଁ ଆଜ୍ଞା, ଆପଣ ଆଜିର ମୁଖ୍ୟ ଅତିଥି। ଧାର୍ମିକ ବ୍ୟକ୍ତି, ପୁଣି ଜାତି ଶ୍ରେଷ୍ଠ ବ୍ରାହ୍ମଣ। ଆପଣ ଅଗ୍ନି ସଂଯୋଗର ଅୟମାରମ୍ଭ କରନ୍ତୁ l କିନ୍ତୁ ମୁଁ ଏ କାର୍ଯ୍ୟ କରିବାକୁ ଭଲ ପାଏ ନାହିଁ ବୋଲି କୁଣ୍ଠିତ ସ୍ବରରେ କହିବାରୁ ଅବଶ୍ୟ କର୍ମକର୍ତ୍ତାମାନେ ସାମାନ୍ୟ ନିରାଶ ଅନୁଭବ କଲେ l କିନ୍ତୁ ମୁଁ କ’ଣ କରିବି l ଏ ବାବଦରେ ମୋର ଏକ ଭିନ୍ନ ବିଚାର ଥିଲା l

ଆମ ଦୃଷ୍ଟିରେ ରାବଣ ଏକ ଅତ୍ୟାଚାରୀ, ନାରୀ ଅପହରଣକାରୀ ଏବଂ ଶ୍ରୀରାମ ବା ପ୍ରଭୁ ଦ୍ରୋହୀ ବ୍ୟକ୍ତିତ୍ୱ। ସେଥିପାଇଁ ତାକୁ ଧିକ୍କାର କରିବା ଛଳରେ ଆମେ ତା’ର ଏକ ପ୍ରତିକୃତି ତିଆରି କରି ଦଶହରା ଦିନ ସେଥିରେ ନିଆଁ ଲଗାଇଥାଉ l ରାବଣ ପୋଡ଼ି ଉତ୍ସବ କରିବା ପୂର୍ବରୁ ଆମେ କେବେ ଭାବି ଥାଉ କି ରାବଣ ଭିତରେ ଯୋଉ ଦୁର୍ଗୁଣଗୁଡିକୁ ଦେଖି ଆମ ମନରେ ତା’ ପ୍ରତି ଘୃଣା ଭାବ ସୃଷ୍ଟି ହେଉଛି, ସେଇ ଦୁର୍ଗୁଣଗୁଡିକ ଆମ ଭିତରେ ଅଛି ନା ନାହିଁ? ମା’ ସୀତାଙ୍କୁ ଚୋରି କରିନେଇଥିଲା ବୋଲି ରାବଣ ନାଁରେ କାହିଁରେ କେତେ କ’ଣ ଅପବାଦ l ଆମେ ଯେଉଁମାନେ ରାବଣ ପୋଡ଼ି ଉତ୍ସବ କରୁଛୁ ଅବା ରାବଣ ପ୍ରତିକୃତିରେ ନିଆଁ ହୁତୁ ହୁତୁ ହୋଇ ଜଳୁଥିବାର ଦେଖି କୁରୁଳି ଉଠୁଛୁ, ସେମାନଙ୍କ ଭିତରୁ କେତେ ଜଣ ନିଜ ଛାତିରେ ହାତ ରଖି କହିପାରିବେ ଯେ ସେମାନେ ନିଜ ଜୀବନରେ କେବେ ହେଲେ ପର ଝିଅ ବୋହୂଙ୍କୁ କୁଦୃଷ୍ଟିରେ ଦେଖି ନାହାନ୍ତି ଅବା କୋଉ ଝିଅର ଇଜ୍ଜତ ନେଇ ନାହାନ୍ତି? ସମସ୍ତେ ଊଣା ଅଧିକେ ସେ ରୋଗରେ ପୀଡ଼ିତ। ପ୍ରତ୍ୟେକ ଦିନ ଖବରକାଗଜର ପ୍ରତିଟି ପୃଷ୍ଠାରେ ଏବେ ଚୋରି, ହତ୍ୟା, ବଳାତ୍କାର ଏବଂ ଅତ୍ୟାଚାରର ଖବର ଛାଇ ହୋଇଯାଉଛି। ରାବଣର ଯେଉଁ ଦୁର୍ଗୁଣକୁ ଦେଖି ତା’ ଦେହରେ ହାତ ମାରିବାକୁ ଆମେ ସାହସ କରୁଛେ, ସେ ଗୁଣ ତ ଊଣା ଅଧିକେ ଆମ ସମସ୍ତଙ୍କ ଭିତରେ ଅଛି l ଆମେ କିନ୍ତୁ ରାବଣକୁ ଆଜି ପର୍ଯ୍ୟନ୍ତ ବୁଝିନେ। ଆଜିର ମଣିଷ ରାବଣଠାରୁ ଆହୁରି ଭୟାନକ। ଆମେ ପ୍ରକୃତ ରହସ୍ୟ ନ ଜାଣି ତାକୁ ‘ନାରୀ ଚୋର’ର ଆଖ୍ୟା ଦେଇ ତା’ ପ୍ରତିକୃତିକୁ ପୋଡୁଛେ।

ରାବଣ ହେଉଛି ଜଣେ ନୈଷ୍ଠିକ ବ୍ରାହ୍ମଣ l ବ୍ରହ୍ମାଙ୍କର ସେ ହେଉଛି ଚତୁର୍ଥ ପୁରୁଷ। ପ୍ରଚଣ୍ଡ ଶିବଭକ୍ତ। ପ୍ରଖ୍ୟାତ ଶିବ ତାଣ୍ଡବ ସ୍ତୋତ୍ରର ସ୍ରଷ୍ଟା ସେ। ଦଶ ମହାବିଦ୍ୟାର ସଫଳ ସାଧକ। ସେଥିପାଇଁ ପୁରାଣରେ ରାବଣର ଦଶ ମୁଣ୍ଡ ଅଛି ବୋଲି ଚିତ୍ରିତ କରାଯାଏ। ରାବଣ ପରି ବ୍ରହ୍ମ ଜ୍ଞାନୀ ପ୍ରତି ଯୁଗରେ ବିରଳ। ଏପରି ଜଣେ ବ୍ରହ୍ମଜ୍ଞ ପୁରୁଷ କ’ଣ ସୀତାଙ୍କୁ ଅପହରଣ କରିବା ପରି ଏକ ଘୃଣ୍ୟ କାର୍ଯ୍ୟ କରିପାରନ୍ତି? ଯେଉଁ ପ୍ରବକ୍ତା ବା ଜ୍ଞାନୀ ବୃନ୍ଦ ସୀତାଙ୍କୁ ରାବଣ ଅପହରଣ କରିଥିଲା ବୋଲି ସଭା ମଞ୍ଚରେ ଗଳା ଫଟାଇ କହୁଛନ୍ତି ସେମାନେ କେବେ ନିମ୍ନ ପରିସ୍ଥିତି ଉପରେ ଥରେ ଚିନ୍ତା କରିଛନ୍ତି?

ଜଗତ୍‌ଜନନୀ ମା’ ପଞ୍ଚବଟୀରେ ଅବସ୍ଥାନ କରୁଥିବାର ଖବର ପାଇ ଦର୍ଶନ କରିବା ନିମନ୍ତେ ରାବଣ ସେଦିନ ଧାଇଁ ଯାଇଥିଲା ସେଠିକି l ଦୂରରୁ ମା’ଙ୍କ ଶାନ୍ତ ଆଉ କମନୀୟ ରୂପ ଦେଖି ନିଜ ଚକ୍ଷୁ ଦ୍ବୟକୁ ପବିତ୍ର କରିବା ସହ ମନେ ମନେ ମା’ଙ୍କୁ ପ୍ରଣାମ କରିବା ସହିତ ସ୍ତୁତି ବି କରିଛି। ଏକଥାକୁ ଆମେ କହୁନାହୁଁ। ଖୋଲନ୍ତୁ ତୁଳସୀ ଦାସଙ୍କ ‘ଶ୍ରୀରାମଚରିତ ମାନସ’ର ପୃଷ୍ଠାକୁ। ଗୋସ୍ବାମୀ ଲେଖିଛନ୍ତି- ସୁନତ ବଚନ ଦସସୀସ ରିସାନା l ମନ ମହୁଁ ଚରଣ ବନ୍ଦୀ ସୁଖ ମାନା l ମା’ ସୀତାଙ୍କୁ ଦେଖି ରାବଣ ମନେ ମନେ ସୀତାଙ୍କ ଚରଣକୁ ବନ୍ଦନା କରି ଦିବ୍ୟ ସୁଖ ପାଇଛି। କୁତ୍ସିତ ଉଦ୍ଦେଶ୍ୟ ରଖି ଗୋଟିଏ ଯୁବକ ଯଦି କୋଉ ଝିଅକୁ ଅପହରଣ କରିବାକୁ ଯାଏ, ତେବେ ସେ କ’ଣ ପ୍ରଥମେ ସେ ଝିଅକୁ ପୂଜା କରେ? କିନ୍ତୁ ରାବଣ ଏଠି ମା’ଙ୍କୁ ସ୍ତୁତି କରିଛି।

ଯଦି ସ୍ତୁତି କଲ, ତେବେ ମା’ଙ୍କୁ କାହିଁକି ଲଙ୍କାକୁ ନେଇ ଆସିଲ? – ଏ ପ୍ରଶ୍ନରେ ଅତୀତର କଥା ଗୋଟି ଗୋଟି ହୋଇ ମନେ ପଡିଯାଇଛି ରାବଣର। ସେଦିନ ଆକାଶ ମାର୍ଗେ ଯାତ୍ରା କରୁଥାଏ ତ୍ରିଭୁବନ ବିଜୟୀ ରାବଣ। ତଳକୁ ଦୃଷ୍ଟି ନିକ୍ଷେପ କରିବାରୁ ଦେଖିଲେ ଖୁବ ମନ ଦୁଃଖରେ ବସିଥିବା ଜନକଙ୍କୁ। ରଥାବତରଣ କରି ଦୁଃଖର କାରଣକୁ ଜିଜ୍ଞାସା କଲେ ସେ। ଜନକ କହିଲେ- ମୋ ଝିଅ ସୀତା। ଏବେ ମୁଁ ତାହାର ଜାତକ ଦେଖୁଥିଲି। ଗଣନାରୁ ନିଷ୍କର୍ଷ ବାହାରୁଚି ଯେ ସୀତା ତାଙ୍କ ଜୀବନରେ କେବେ ମା’ ହୋଇପାରିବେ ନାହିଁ l ବନ୍ଧ୍ୟାଦୋଷରେ ସେ ପୀଡ଼ିତା ହେବ। ଏ ଦୋଷରୁ ମୁକ୍ତ ହେବା ପାଇଁ କେବଳ ଅଶୋକ ବନରେ କିଛିଦିନ ରହିବା ଦରକାର। ଅଶ୍ରୁଳ ନୟନରେ ରାବଣର ଦୁଇ ହାତକୁ ଧରି ଜନକ କହିଲେ- ତୁମ ରାଜ୍ୟରେ ବିରାଟ ଅଶୋକ ବନ ଅଛି। କଡ଼ା ସୁରକ୍ଷା ବ୍ୟବସ୍ଥା କରି ସୀତାଙ୍କୁ କିଛିଦିନ ରହିବାର ବନ୍ଦୋବସ୍ତ କରିବ। ରାବଣ ସେଦିନ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ଜନକଙ୍କୁ। ସମୟକ୍ରମେ ସୀତାଙ୍କ ବିବାହ ପରେ ଜନକଙ୍କ ଗଣନା ସତ୍ୟ ସାବ୍ୟସ୍ତ ହେଲା। ଦେଇଥିବା କଥାନୁସାରେ ରାବଣ ପଞ୍ଚବଟୀରୁ ମା’ ସୀତାଙ୍କୁ ଆମନ୍ତ୍ରଣ କରି ନେଇଥିଲା ନିଜ ଅଶୋକ ବନକୁ। ନିଜ ଲାଳସା ପାଇଁ ରାବଣ ସୀତାଙ୍କୁ ଚୋରି କରିଥିଲା ବୋଲି ଯେଉଁ ବିବେକୀହୀନମାନେ କହୁଛନ୍ତି ସେମାନେ କେବେ ଗୋଟିଏ ପ୍ରଶ୍ନ ନିଜକୁ ନିଜେ ପଚାରିଛନ୍ତି- ଯଦି ରାବଣର ମନ୍ଦ ଉଦ୍ଦେଶ୍ୟ ଥିଲା ତେବେ ସୀତାଙ୍କୁ ନେଇ ସେ ନିଜ ରାଣୀ ହଂସପୁରରେ ନ ରଖି ଅଶୋକ ବନରେ ରଖୁଥିଲା କାହିଁକି?

ଏ ସବୁକଥା ଠିକ୍‌ ଯେ ହେଲେ ଏଥିପାଇଁ ତ ଆପଣ ଶ୍ରୀରାମଙ୍କ ଦ୍ରୋହର ଶିକାର ହୋଇସାରିଲେଣି। ସେ ଆପଣଙ୍କୁ ଆଦୌ ଛାଡ଼ିବେ ନାହିଁ। ରାକ୍ଷସ କୂଳକୁ ସମୂଳେ ବିନାଶ କରିଦେବେ ଶ୍ରୀରାମ – ଏ ପ୍ରଶ୍ନର ଏକ ସୁନ୍ଦର ପ୍ରତିବେଦନ ରଖିଛି ରାବଣ – ଏଥିରେ ବି ମୋ ମହତ ଉଦ୍ଦେଶ୍ୟ ଅଛି। ସମସ୍ତେ ଜାଣନ୍ତି ଯେ ପୂର୍ବେ ମୁଁ ବୈକୁଣ୍ଠରେ ଦ୍ୱାରପାଳ ପଦବୀରେ ଥିଲି। ଅଭିଶାପ ପାଇ ରାକ୍ଷସ ହୋଇଛି। ପ୍ରଭୁ ବୈକୁଣ୍ଠାଧିପତି ନାରାୟଣ ସ୍ବୟଂ ରାମ ରୂପରେ ଆସିଛନ୍ତି ମୋତେ ଉଦ୍ଧାର ପାଇଁ। ମୋତେ ତ ସେ ନିଶ୍ଚେ ଉଦ୍ଧାର କରିବେ। କିନ୍ତୁ ଏବେ ମୁଁ ହେଉଛି ଲଙ୍କାର ରାଜା। ରାଜାର କର୍ତ୍ତବ୍ୟ ହେଉଛି ପ୍ରଜାଙ୍କ ମଙ୍ଗଳକାମନା କରିବା। ମୁଁ ଯଦି ଏକୁଟିଆ ଉଦ୍ଧାର ପାଇଯିବି ତେବେ ମୋ ରାକ୍ଷସ ପ୍ରଜାମାନେ ମୋତେ ସ୍ବାର୍ଥପର ବୋଲି କହିବେ ନା ନାହିଁ? ତେଣୁ ପ୍ରଭୁଙ୍କ ହସ୍ତରେ ସେମାନଙ୍କୁ ଆଗେ ଉଦ୍ଧାର କରି ସାରିବା ପରେ ଶେଷରେ ମୁଁ ମରିବି। ସୀତାଙ୍କୁ ଆଣିବାରେ ମୋର ତିନୋଟି ଲକ୍ଷ୍ୟ। ପ୍ରଥମ- ସେ ବନ୍ଧ୍ୟାଦୋଷରୁ ମୁକ୍ତ ହେବେ l ଦ୍ୱିତୀୟ- ପ୍ରଭୁଙ୍କ ସହ ଦ୍ରୋହ ଜାତ ହେଲେ ମୋତେ ଏବଂ ମୋ ପ୍ରଜାଙ୍କୁ ଯୁଦ୍ଧରେ ମାରି ଉଦ୍ଧାର କରିବେ। ତୃତୀୟ- ମା’ ଏଠି ଅଛନ୍ତି ମାନେ ବାପା ଖୋଜି ଖୋଜି ନିଶ୍ଚେ ଏଠିକି ଆସିବେ। ସମଗ୍ର ଲଙ୍କାବାସୀ ଦେଖିବେ ରାମସୀତାଙ୍କ ଯୁଗଳ ମୂର୍ତ୍ତି। କିଛି ସମୟ ପାଇଁ ମୋ ରାକ୍ଷସପୁରୀ ଲଙ୍କା ବୈକୁଣ୍ଠରେ ପରିଣତ ହୋଇଯିବ।

ରାମଙ୍କ ସହ ଶେଷ ଯୁଦ୍ଧ ଲଢ଼ିବାର ପୂର୍ବ ରାତିରେ ନିଜ ସ୍ବାମୀଙ୍କ କାର୍ଯ୍ୟରେ ସତ ଉଦ୍ଦେଶ୍ୟ ନିହିତ ଅଛି ବୋଲି ଜାଣି ସେଦିନ ସତୀ ମନ୍ଦୋଦରୀ ସିନା ଚୁପ ହୋଇଯାଇଥିଲେ କିନ୍ତୁ ଆମେ ମୂଢ଼ ଅଧମମାନେ ଆଜି ଯାଏ ବି ଚୁପ ହୋଇ ବସି ପାରୁନୁ। ପ୍ରତିବର୍ଷ ଦୁର୍ଗାପୂଜା ଅବସରରେ ରାବଣକୁ ପୋଡୁଛୁ। ଆମେ ମନେ ମନେ ଭାବୁଚୁ ଆମେ ରାବଣଠାରୁ ଖୁବ ବଡ଼। କିନ୍ତୁ ମନେ ରଖିବା ଦରକାର ଯେ, ରାବଣର କୌଣସି ଭଲ ଗୁଣ ବି ଆମ ପାଖରେ ନାହିଁ। ଦଂଶନ କରିବା ସର୍ପର ସ୍ବଭାବ। କାରଣ ସେ ସର୍ପ ଯୋନିରେ ଜନ୍ମ ନେଇଛି। ଠିକ ସେମିତି ରାକ୍ଷସୀ ଗର୍ଭରୁ ରାବଣର ଜନ୍ମ। ତା’ ନିକଟରେ ରାକ୍ଷସୀ ପ୍ରବୃତ୍ତି ଦେଖାଦେବାଟା ଆଦୌ କିଛି ବିଚିତ୍ର ନୁହେଁ। ରାକ୍ଷସ ହୋଇ ବି ଶିବ ଭକ୍ତ ହେବା, ବେଦଜ୍ଞ ହେବା, ସାଧନା କରି ଗୋଟିଏ ନୁହେଁ କି ଦୁଇଟି ନୁହେଁ, ସବୁ ଦେବତାଙ୍କୁ ନିଜ ବଶରେ ରଖିବାର ସାମର୍ଥ ଅର୍ଜନ କରିବା ଆଦି ସୁଗୁଣ ଭିତରୁ କେତେଟା ଗୁଣ ଆମମାନଙ୍କ ଭିତରେ ଅଛି କହିଲେ? ଯଦି ବି ରାବଣର ମନ୍ଦ ଗୁଣକୁ ବିବେଚନା କରାଯାଏ, ତେବେ ସେ ଦୃଷ୍ଟିରୁ ଆମେ ସମସ୍ତେ ବି ଜଣେ ଜଣେ ଜିଅନ୍ତା ରାବଣ। ଜିଅନ୍ତା ରାବଣଟିଏ ମୃତ ରାବଣ ଦେହରେ ନିଆଁ ଲଗାଇ ଆଲ୍ଲାଦିତ ହେ- ଏହା ତ ଖୁବ ଲଜ୍ଜାକର ବିଷୟ।

ବନ୍ଦ ହେଉ ଏ ରାବଣ ପୋଡିର ପରମ୍ପରା। ଆମେ ସେଇ ଦିନ ରାବଣ ପୋଡି କରିବାକୁ ଯୋଗ୍ୟତା ହାସଲ କରିବା; ଯେଉଁଦିନ ଆମର ପ୍ରତିଟି କାର୍ଯ୍ୟ ମୂଳରେ ପର ହିତ ଭାବନା ଯୁକ୍ତ ହୋଇ ରହିବା ସହିତ ଆମେ ନିଜେ ଜଣେ ଜଣେ ରାମ ହୋଇଯିବା। କାରଣ ରାବଣ ଦେହରେ ନିଆଁ ଲଗାଇବାର ଅଧିକାର କେବଳ ରାମଙ୍କର ଥିଲା। ତୁମେ ରାମ ହେଲଣି କି? ଉତ୍ତର ଯଦି ହଁ, ତେବେ ରାବଣ ଦେହରେ ନିଆଁ ଲଗାଇପାର। ମୁଁ କିନ୍ତୁ ଏ ପର୍ଯ୍ୟନ୍ତ ରାମ ହୋଇନି। ହେବାକୁ ସାଧନା କରୁଛି। ତେଣୁ ମୁଁ କାହିଁକି ସେଦିନ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରି ଉଦ୍‌ଘାଟନ କରିଥାନ୍ତି?
-ପ୍ରିନ୍‌ସିପାଲ, ଆପେକ୍ସ ଆଇ.ଟି.ଆଇ, ପତ୍ରକଣା କସର୍ଦା, କଟକ,
ମୋ :୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?