ବେଜିଂ,୮ା୧୧: ଚାଇନା ତା’ର ସାମରିକ ଶକ୍ତି ବୃଦ୍ଧି କରିଛି। ତୃତୀୟ ବିମାନ ବାହକ ‘ଫୁଜିଆନ’ ନିର୍ମାଣ ଶେଷ କରିଛି। ଶନିବାର ଚାଇନା ପିଏଲଏ ନୌସେନା ଫୁଜିଆନର କାର୍ଯ୍ୟକ୍ଷମ ଡେମୋର ଏକ ଭିଡିଓ ଜାରି କରିଛି। ଏହି ସପ୍ତାହରେ ଫୁଜିଆନର କମିଶନିଂ ସମାରୋହ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଏହି ନୂଆ ଚାଇନା ବିମାନ ବାହକ ଇଲେକ୍ଟ୍ରୋମେଗ୍ନେଟିକ କାଟାପଲ୍ଟ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ। ଏପର୍ଯ୍ୟନ୍ତ କେବଳ ଆମେରିକୀୟ ଜେରାଲ୍ଡ ଫୋର୍ଡ-ଶ୍ରେଣୀର ବିମାନ ବାହକମାନେ ଏହି ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଥିଲେ। ଇଲେକ୍ଟ୍ରୋନିକ କାଟାପଲ୍ଟ ପ୍ରଯୁକ୍ତିବିଦ୍ୟା ବାହକର ଛୋଟ ରନ୍ଓ୍ବେ ଡେକରୁ ଲଢ଼ୁଆ ବିମାନକୁ ଉଡ଼ାଣ ଏବଂ ଅବତରଣ କରିବାକୁ ଅନୁମତି ଦିଏ।
ଦକ୍ଷିଣ ଚାଇନା ସାଗରରେ ଫିଲିପାଇନ୍ସ ସହିତ ଚାଲିଥିବା ଉତ୍ତେଜନା ସମୟରେ ତୃତୀୟ ବିମାନ ବାହକ ନିର୍ମାଣ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଚାଇନା ଏବଂ ଫିଲିପାଇନ୍ସ ନୌସେନା ଅନେକ ହିଂସାତ୍ମକ ସଂଘର୍ଷ ଦେଖିଛି। ଚାଇନା ଅଭିଯୋଗ କରିଛି ଯେ, ଆମେରିକାର ପ୍ରରୋଚନାରେ ଫିଲିପାଇନ୍ସ ଚାଇନା ସହିତ ମୁହାଁମୁହିଁ ହେଉଛି।
ଦକ୍ଷିଣ ଚାଇନା ସାଗର ସମେତ ତାଇଓ୍ବାନ ପ୍ରତି ଚାଇନାର ଆଭିମୁଖ୍ୟ ବିଶେଷ ଭାବରେ ଆକ୍ରମଣାତ୍ମକ। ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଚାଇନା ରାଷ୍ଟ୍ରପତି ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେ ତାଇଓ୍ବାନ ଉପରେ ଆକ୍ରମଣ କରିବେ ନାହିଁ।
ଭାରତ ମହାସାଗର ଅଞ୍ଚଳରେ ଚାଇନାର କାର୍ଯ୍ୟକଳାପ ନିରନ୍ତର ବୃଦ୍ଧି ପାଉଥିବାରୁ ଚାଇନାର ତୃତୀୟ ବିମାନ ବାହକ ଜାହାଜ ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ଚାଇନାର ଯୁଦ୍ଧଜାହାଜ, ସର୍ଭେ ଜାହାଜ ଏବଂ ବୁଡ଼ାଜାହାଜଗୁଡ଼ିକ ଭାରତ ମହାସାଗରରେ ପ୍ରାୟତଃ ଦେଖାଯାଉଛି।


