Categories: ଫୁରସତ

ବିବାହର ୫୪ ବର୍ଷ ପରେ ସନ୍ତାନ

ରାୟପୁର: ରାଜସ୍ଥାନର ୭୫ ବର୍ଷୀୟ ଗୋପିଚାନ୍ଦ ବିବାହର ୫୪ ବର୍ଷ ପରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତ ସୋମବାର ଅଲଓ୍ବାରରେ ଗୋପିନାଥଙ୍କ ୭୦ ବର୍ଷୀୟା ସ୍ତ୍ରୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ରାଜସ୍ଥାନରେ ପ୍ରଥମ ଥର ଘଟିଥିବା ଡାକ୍ତର କହିଛନ୍ତି। ଜନ୍ମିତ ଶିଶୁ ପୁତ୍ରର ଓଜନ ସାଢ଼େ ତିନିକିଲୋ ଥିବାବେଳେ ମା’ ଓ ନବଜାତ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତି କାରଣରୁ ବର୍ତ୍ତମାନ ସମୟରେ ୭୦- ୮୦ ବର୍ଷର ମହିଳା ସନ୍ତାନ ଜନ୍ମ ପାଇଁ ସକ୍ଷମ ହେବାରେ ଲାଗିଛନ୍ତି। ଝୁନ୍‌ଝୁନୁର ନୁହାନିୟା ଗ୍ରାମର ଗୋପିଚାନ୍ଦ ସେନାରେ ଚାକିରି କରିଥିଲେ। ପରିବାରରେ କୌଣସି ପ୍ରକାର ଅସୁବିଧା ନ ଥିବାବେଳେ କିନ୍ତୁ ଗୋଟିଏ ସନ୍ତାନ ପାଇଁ ଦୁହେଁ ବର୍ଷ ବର୍ଷ ଧରି ବହୁ ଚେଷ୍ଟା କରିଥିଲେ ହେଁ ସେଥିରେ ସଫଳ ହୋଇ ନ ଥିବା ସେ କହିଛନ୍ତି। କିନ୍ତୁ ଆଇଭିଏଫ୍‌ (ଇନ୍‌ ଭିଟ୍ରୋ ଫର୍ଟିିଲାଇଜେଶନ୍‌) ଜରିଆରେ ଗୋପିଚାନ୍ଦ ବାପା ହେବାର ସୁଯୋଗ ପାଇଥିବା କହିଛନ୍ତି। ପରିଣତ ବୟସରେ ଖୁବ୍‌ କମ୍‌ ଲୋକଙ୍କ ନିକଟରେ ସନ୍ତାନ ଜନ୍ମର କ୍ଷମତା ଥିବା ଆଇଭିଏଫ୍‌ ଏକ୍ସପର୍ଟ ଡା. ପଙ୍କଜ ଗୁପ୍ତା କହିଛନ୍ତି।
ଆଇଭିଏଫ୍‌ର ପୂରାନାମ ଇନ୍‌ ଭିଟ୍ରୋ ଫର୍ଟିିଲାଇଜେଶନ୍‌। କେହି କେହି ଏହି ପ୍ରଣାଳୀକୁ ଟେଷ୍ଟ ଟ୍ୟୁବ୍‌ ବେବି ବୋଲି କହିଥାନ୍ତି। ମହିଳାଙ୍କ ଡିମ୍ବାଣୁ ଓ ପୁରୁଷଙ୍କ ଶୁକ୍ରାଣୁକୁ ଟେଷ୍ଟ ଟ୍ୟୁବ୍‌ରେ ମିଶ୍ରଣ କରି ରଖାଯାଏ। କିଛିଦିନ ପରେ ସେଥିରୁ ଭ୍ରୂଣ ଜନ୍ମିଥାଏ। ଏହି ଭ୍ରୂଣକୁ ମହିଳାଙ୍କ ଗର୍ଭାଶୟରେ ସ୍ଥାପନ କରାଯାଏ। ଏହାପରେ ଗର୍ଭାଶୟରେ ଶିଶୁଟି ବିକଶିତ ହୋଇଥାଏ।

Share