ବାରିପଦା,୧୧ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ୭ମହଲା କୋଠାର ମହିଳା ଏବଂ ଶିଶୁ ବିଭାଗ ଓ୍ବାର୍ଡରୁ ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ହୋଇଛି। ଶନିବାର ସକାଳୁ ଶିଶୁଟି ଚୋରି ହୋଇଥିବା ନେଇ ନବଜାତକର ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବାରିପଦା ଟାଉନ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଖୋଜାଖୋଜି କରୁଛି। ପ୍ରସୂତି ମହିଳା ଜଣକ ହେଲେ ବାରିପଦା ସଦରଥାନା ଅଧୀନ ରାଣୀଭୋଳ ଗ୍ରାମର ଫୁଲମଣି ସୋରେନ(୨୦)।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଫୁଲମଣିଙ୍କୁ ପ୍ରସବ ଜନିତ ବେଦନା ହେବାରୁ ଆଶାକର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲେ। ବାଟରେ ଆସୁଥିବା ସମୟରେ ଆମ୍ବୁଲାନ୍ସରେ ଫୁଲମଣି ପିଲା ଜନ୍ମ କରିଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ୫ମହଲାର ପ୍ରସୂତି ଓ୍ବାର୍ଡ ୟୁନିଟ୍-୧ରେ ଚିକିତ୍ସାଧୀନ ଥିବା ସମୟରେ ପିଲାଚୋର ମହିଳା ଜଣକ ପାଖାପାଖି ରହୁଥିଲେ। ନବଜାତକ ଶିଶୁକୁ ସାମାନ୍ୟ କାଶଛିଙ୍କ ହେଉଥିବାରୁ ଫୁଲମଣିଙ୍କ ସହ କଥାବାର୍ତ୍ତା ହୋଇ ଡାକ୍ତର ଦେଖାଇବାକୁ କହିଥିଲେ।
ଏହା ସହିତ ସରକାରୀ ସହାୟତା ଯୋଗାଇ ଦେବେ ବୋଲି କହି ପିଲା ଚୋର ମହିଳା ଜଣକ ଶନିବାର ସକାଳ ୬ଟା ପାଖାପାଖି ସମୟରେ ଶିଶୁର ପିତା ଧାନାଇ ହାଁସଦା ନବଜାତକକୁ ଧରି ୫ମହଲାରୁ ତଳକୁ ଆସିଥିଲେ । ତଳେ ପହଞ୍ଚିବା ପରେ ମହିଳା ଜଣକ ଫଟୋ ଆବଶ୍ୟକ ଥିବା କହି ଛୁଆକୁ ନିଜେ ଧରି ଧାନାଇଙ୍କୁ ଉପରୁ ଆଣିବାକୁ କହିଥିଲେ । ଧାନାଇ ୫ମହଲା ଉପରୁ ଯାଇ ଫେରିଲା ବେଳକୁ ଛୁଆକୁ ନେଇ ମହିଳା ଜଣକ ଚମ୍ପଟ ମାରିଥିଲେ। ଧାନାଇ ପିଲା ଚୋର ମହିଳାଙ୍କୁ ବହୁ ଖୋଜାଖୋଜି କରିଥିଲେ। ତେବେ ଦୀର୍ଘ ସମୟ ଧରି ଶିଶୁଟି ମା’କୋଳକୁ ନ ଫେରିବାରୁ ଫୁଲମଣି ଶିଶୁକୁ ଖୋଜିବାକୁ ବାହାରିଥିଲେ। ଉଭୟ ଯାଇ ଡାକ୍ତରଖାନା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଭଳି ପିଲାଚୋର ଘଟଣା ବାରମ୍ବାର ହେଉଥିବାରୁ ପୋଲିସ ଏହାର ସୁରାକ ପାଇପାରୁନାହିଁ ।


