ଗୋଖାପଡ଼ାର ଶିଶୁବଳି ମାମଲା: ତାନ୍ତ୍ରିକ, ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା ଅଫିସ,୧୩।୧୧: ୨୦୧୫ରେ ବହୁଚର୍ଚ୍ଚିତ କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଗୋଖାପଡା ଶିଶୁବଳି ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ମାମଲାରେ ତାନ୍ତ୍ରିକ ଚୌଧୁରୀ ଅବିନାଶ ଦାସ ଓ ସହଯୋଗୀ ବଜରଙ୍ଗୀ ଓରଫ ବୈକୁଣ୍ଠନାଥ ଦାସଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି। କେନ୍ଦ୍ରାପଡା ଜିଲା ଜଜ୍‌ ବାସୁଦେବ ପଣ୍ଡା ସେମାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୨୦୧୫ ଏପ୍ରିଲ ୧୩ ରେ ମାର୍ଶାଘାଇ ବ୍ଲକ ଗୋଖାପଡା ଗ୍ରାମ ଶେଷମୁଣ୍ଡ ହନୁମାନ ପୀଠରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ ପାଳନ ହେଉଥିଲା। ଉତ୍ସବକୁ ଗ୍ରାମର ପ୍ରତାପ କୁମାର ନାୟକଙ୍କ ୮ ବର୍ଷର ପୁଅ ରାଜକିଶୋର ଦେଖିବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ମା’ ପୂର୍ଣ୍ଣମା ଓ ଗ୍ରାମବାସୀ ଅପରାହ୍ନ ସାଢେ ୪ଟାଠାରୁ ଖୋଜାଖୋଜି କରିଥିଲେ। ତେବେ ୧୪ ତାରିଖରେ ଗ୍ରାମ ନିକଟ ଲୁଣାନଦୀରୁ ବେକ କଟା ମୃତଦେହ ଉଦ୍ଧାର ହୋଇଥିଲା। ଥାନାରେ ପୂର୍ଣ୍ଣିମାଙ୍କ ଅଭିଯୋଗକୁ ଭିତ୍ତିକରି ନଂ. ୮୭/୧୫ରେ ମାମଲା ରୁଜୁ ହୋଇଥିଲା। ପରେ ପୋଲିସ ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ଏହି ଦୁଇବ୍ୟକ୍ତି ତନ୍ତ୍ର ସାଧନା ପାଇଁ ହତ୍ୟା କରିଥିବା ପ୍ରମାଣ ମିଳିଥିଲା। ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତିିକରି ଜିଲା ଜଜ୍‌ ପଣ୍ଡା ଦୁହିଁଙ୍କୁ ଆଇପିସି ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ପାଇଁ ଆଦେଶ ଦେଇଛନ୍ତି। ଏହି ଜରିମାନାରେ ଅନାଦାୟେରେ ଅଧିକ ଦୁଇବର୍ଷ ଜେଲଦଣ୍ଡ ବିଧାନ କରିଛନ୍ତି। ସେହିପରି ଆଇପିସି ଧାରା ୨୦୧ରେ ୫ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ଏପିପି ସଞ୍ଜୟ କୁମାର ଜେନା ଏହି ସୂଚନା ଦେଇଛନ୍ତି। ଏହି ମାମଲାକୁ ପିପି ମାନସ ବେହେରା ପରିଚାଳନା କରୁଥିଲେ।