ଶିଶୁକନ୍ୟା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ଫୁଲବାଣୀ ଅଫିସ,୨୨ା୧୨: ଜଣେ ୫ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରିବା ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ବଳାତ୍କାରୀଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କୁ ୨୨ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ଗଣେଶ ବେହେରା ଦଳାଇ ଓରଫ ଲିଟୁ (୨୮)।

ସୂଚନାଯୋଗ୍ୟ, ୨୦୨୦ ଜାନୁୟାରୀ ୨୬ରେ ଗଣେଶ ଝିଅଟିକୁ ବରା ଖାଇବାକୁ ଦେବାକୁ କହି ବଳାତ୍କାର କରିଥିଲେ। ଏନେଇ ବ୍ରାହ୍ମଣୀ ଗାଁ ଥାନାରେ ଅଭିଯୋଗ ହେବା ପରେ ଗଣେଶ ଗିରଫ ହୋଇଥିଲେ। ୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି କୋର୍ଟ ଆଜି ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।