ନୂଆଦିଲ୍ଲୀ,୫।୯(ପି.ଟି.):ଦେଶରେ ଶିଶୁ ମୃତ୍ୟୁ ହାର (ଆଇଏମ୍ଆର୍) ୨୦୧୩ରେ ୪୦ ଥିବାବେଳେ ଏବେ ତାହା ୨୫କୁ ହ୍ରାସ ପାଇଛି। ଅର୍ଥାତ୍ ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ ଦ୍ୱାରା ଜାରି ୨୦୨୩ର ନମୁନା ପଞ୍ଜୀକରଣ ସିଷ୍ଟମ (ଏସ୍ଆର୍ଏସ୍) ରିପୋର୍ଟରୁ ଏହା ଜଣାପଡ଼ିଛି। ଆଇଏମ୍ଆର୍ ହେଉଛି ୧ ବର୍ଷରୁ କମ୍ ବୟସ ମଧ୍ୟରେ ପ୍ରତି ହଜାରେ ଜନ୍ମିତ ଶିଶୁରେ ମୃତ୍ୟୁମୁଖରେ ପଡ଼ୁଥିବା ଶିଶୁ ସଂଖ୍ୟା। ଏହି ସଂଖ୍ୟା କମିବା ଅର୍ଥ ଉନ୍ନତ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉଛି।
୨୦୨୩ର ତଥ୍ୟ ଆଧାରରେ ଏସ୍ଆର୍ଏସ୍ ରିପୋର୍ଟ ପ୍ରକାଶିତ ହୋଇଛି। ୧୯୭୧ରେ ପ୍ରତି ୧୦୦୦ ପିଲାଙ୍କ ମଧ୍ୟରୁ ୧୨୯ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ସେଥିରେ ୮୦ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ରାଜ୍ୟଓ୍ବାରି ଦେଖିଲେ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଉତ୍ତରପ୍ରଦେଶରେ ଆଇଏମ୍ଆର୍ ସର୍ବାଧିକ ୩୭ ରହିଥିବାବେଳେ ମଣିପୁରରେ ସର୍ବନିମ୍ନ ୩ ଏବଂ କେରଳରେ ୫ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଆଇଏମ୍ଆର୍ ୪୪ରୁ ୨୮କୁ ଖସିଥିବାବେଳେ ସହରାଞ୍ଚଳରେ ୨୭ରୁ ୧୮କୁ ହ୍ରାସ ପାଇଛି। ଅର୍ଥାତ୍ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଶିଶୁ ମୃତ୍ୟୁ ହାରରେ ଯଥାକ୍ରମେ ୩୬ ଓ ୩୩ ପ୍ରତିଶତ ହ୍ରାସ ଘଟିଛି।
ସର୍ବଭାରତୀୟ ସ୍ତରରେ ଜନ୍ମହାର ଗତ ୫ ଦଶନ୍ଧି ମଧ୍ୟରେ ଯଥେଷ୍ଟ ହ୍ରାସ ପାଇଛି। ୧୯୭୧ରେ ପିଲା ଜନ୍ମହାର ୩୬.୯ ଥିବାବେଳେ ୨୦୨୩ରେ ତାହା ୧୮.୪କୁ ଖସିଛି। ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳ-ସହରାଞ୍ଚଳ ଜନ୍ମହାରରେ ପାର୍ଥକ୍ୟ ମଧ୍ୟ କମିଛି। ତେବେ ଗ୍ରାମାଞ୍ଚଳରେ ଜନ୍ମହାର ସହରାଞ୍ଚଳଠାରୁ ଅଧିକ ରହିଆସିଛି। ୨୦୧୩ରେ ଦେଶରେ ଜନ୍ମହାର ୨୧.୩ ଥିବାବେଳେ ୨୦୨୩ରେ ତାହା ୧୮.୪ ହୋଇଛି, ଅର୍ଥାତ୍ ୧୦ ବର୍ଷରେ ୧୪ ପ୍ରତିଶତ କମିଛି। ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳ ଜନ୍ମହାର ୨୨.୯ରୁ ୨୦.୩କୁ (୧୧%) କମିଥିବାବେଳେ ସହରାଞ୍ଚଳରେ ୧୭.୩ରୁ ୧୪.୯କୁ ଅର୍ଥାତ୍ ୧୪ ପ୍ରତିଶତ ହ୍ରାସ ପାଇଛି। ୨୦୨୩ରେ ବିହାରରେ ଜନ୍ମହାର ସର୍ବାଧିକ ୨୫.୮ ରହିଥିବାବେଳେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସର୍ବନିମ୍ନ ୧୦.୧ ରହିଛି। ମୃତ୍ୟୁହାର ମଧ୍ୟ ଗତ ୫ ଦଶନ୍ଧି ମଧ୍ୟରେ କ୍ରମାଗତ ହ୍ରାସ ପାଇଛି। ୧୯୭୧ରେ ମୃତ୍ୟୁହାର ୧୪.୯ ଥିବାବେଳେ ୨୦୨୩ରେ ତାହା ୬.୪କୁ ଖସିଛି। ଗ୍ରାମାଞ୍ଚଳରେ ମୃତ୍ୟୁହାର ୨୦୨୨ରେ ୭.୨ ଥିବାବେଳେ ୨୦୨୩ରେ ୬.୮କୁ ହ୍ରାସ ପାଇଛି। ସହରାଞ୍ଚଳରେ ଏହି ସମୟ ମଧ୍ୟରେ ମୃତ୍ୟୁହାର ୬.୦ରୁ ୫.୭କୁ ହ୍ରାସ ପାଇଥିବା ଦେଖାଯାଇଛି।


