ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ ସହ ବିବାହ କରାଯାଉଥିବା ପରିଲକ୍ଷିତ ହେଉଛି। ଏହା ଏକ ସାମାଜିକ ବ୍ୟାଧି। ସରକାରଙ୍କ ପକ୍ଷରୁ ଏହାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ଶିଶୁମାନଙ୍କୁ ଯୌନ ନିର୍ଯାତନା, ଚାଲାଣ ଓ ଶିଶୁ ଶ୍ରମିକଭାବେ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଉଥିବା ଦେଖାଯାଉଛି। ଏହାକୁ ରୋକି ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇ ଜନ ସଚେତନତା ସୃଷ୍ଟି କରାଯିବ। ଶିଶୁମାନଙ୍କ ମା’ବାପାଙ୍କୁ ବୁଝାଇ ଏଥିରୁ ନିବୃତ୍ତ ରହିବା ପାଇଁ କୁହାଯିବ। ମହାକାଳପଡା ବ୍ଲକ ପରିସର ମିଶନ ଶକ୍ତି ସଭାଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଏହି ମତ ରଖିଛନ୍ତି।
କାର୍ଯ୍ୟକ୍ରମରେ ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ସମନ୍ବିତ ବ୍ଲକ ଶିଶୁ ବିକାଶ ଅଧିକାରୀ ତଥା ନାବାଳିକା ବିବାହ ନିରାକରଣ ଅଧିକାରିଣୀ ସୁକାନ୍ତି ମହାପାତ୍ର, ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମୀ ଉଦୟନାଥ ବେହେରା ଯୋଗଦେଇଥିଲେ। ସେମାନେ କହିଥିଲେ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ବାସ୍ଥ୍ୟସେବା କର୍ମୀ, ଶିକ୍ଷକ, ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମୀଙ୍କ ଏ ଦିଗରେ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁମାନଙ୍କ ଶୈଶବ ଶିକ୍ଷା ଲାଭ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଶିଶୁମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିଥିବା ପ୍ରମାଣ ମିଳିଲେ ଆଇନ ଅନୁସାରେ ଦଣ୍ଡ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପ୍ୟାରୀମୋହନ ନନ୍ଦ, ଥାନା କର୍ମଚାରୀ, ଅଙ୍ଗନୱାଡି ସୁପରଭାଇଜର, କର୍ମୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share