ଶିଶୁଶ୍ରମ ଉଦ୍ଧାରକାରୀ ଡିଟିଏଫ୍‌ ନିଷ୍କ୍ରିୟ

ଯାଜପୁର,୧୮ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଶିଶୁ ଶ୍ରମିକ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଧାରୁ ପାଠ ଛାଡ଼ି ପିଲାମାନେ ଶ୍ରମିକ ସାଜୁଛନ୍ତି। ଅନ୍ୟପକ୍ଷେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ନିକଟସ୍ଥ ସ୍କୁଲରେ ନାମ ଲେଖାଇ ଶିଶୁ ଶ୍ରମିକ ଉଚ୍ଛେଦ କରାଯାଉଛି ବୋଲି ଡିଣ୍ଡିମ ପିଟାଯାଉଛି। କିନ୍ତୁ ବାସ୍ତବ ପକ୍ଷେ ସ୍କୁଲରେ ନାମ ରହିଛି ସତ, ହେଲେ ସେମାନେ ସ୍କୁଲ ବାରଣ୍ଡା ମାଡ଼ୁ ନ ଥିବା ଦେଖାଯାଇଛି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାର ଅର୍ଥ କୁଆଡ଼େ ଯାଉଛି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ୨୦୨୫ରେ ଶିଶୁ ଶ୍ରମମୁକ୍ତ ରାଜ୍ୟ ଗଠନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଶ୍ରମ ଆଇନକୁ କଡ଼ାକଡ଼ି ପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ବିଶେଷକରି ଶିଶୁ ଶ୍ରମିକ ଉଦ୍ଧାର ଶ୍ରମ ବିଭାଗର ମୁଖ୍ୟ କାର୍ଯ୍ୟ ହୋଇଥିବାବେଳେ ଏଥିରେ ଶ୍ରମ ବିଭାଗ ବିଶେଷ ଆଗ୍ରହ ଦେଖାଏ ନାହିଁ। ଫଳରେ ଚଣ୍ଡିଖୋଲରୁ ପାଣିକୋଇଲି ଜାତୀୟ ରାଜପଥ ପାର୍ଶରେ ଥିବା ହୋଟେଲଗୁଡ଼ିକରେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ଅଭିଯୋଗ ହେଉଛି। ଅଭିଯୋଗ ପରେ ମଧ୍ୟ ଏସବୁ ସ୍ଥାନରେ ଚଢ଼ାଉ କି ଉଦ୍ଧାର କାର୍ଯ୍ୟ କରାଯାଉନି। କେବେ କେବେ ଶିଶୁ ସୁରକ୍ଷା ୟୁନିଟ ଦ୍ବାରା ଶିଶୁ ଶ୍ରମିକ ଉଦ୍ଧାର କରାଯାଉଥିଲେ ମଧ୍ୟ ନିଯୋଜିତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ପୁନର୍ବାର ସମ୍ପୃକ୍ତ ସ୍ଥାନରେ ଶିଶୁ ଶ୍ରମିକ ନିଯୁକ୍ତ ହେଉଥିବା ଦେଖିବାକୁ ମିଳିଛି। ଶିଶୁ ଶ୍ରମିକ ଉଦ୍ଧାର କରିବା ପାଇଁ ଜିଲାସ୍ତରୀୟ ଟାସ୍କଫୋର୍ସ (ଡିଟିଏଫ୍‌) ଗଠନ କରାଯାଇଛି। ଏହି ଟାକ୍ସଫୋର୍ସରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରମ ଅଧିକାରୀ ନୋଡାଲ ଅଫିସର ରହିଛନ୍ତି। ଏହି ଟାସ୍କଫୋର୍ସରେ ପୋଲିସ, ଶିଶୁ ମଙ୍ଗଳ କମିଟି, ଶିଶୁ ସୁରକ୍ଷା ୟୁନିଟ୍‌, ଜିଲା ଆଇନ ସେବା ପ୍ରାଧିକରଣ, ଶିକ୍ଷା ବିଭାଗ, ମେଡିକାଲ ଓ ମାନ୍ୟତାପ୍ରାପ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ରହିଛନ୍ତି। ପ୍ରତି ତିନି ମାସରେ ଏହି ଟାସ୍କଫୋର୍ସର ବୈଠକ ସହ ଚଢାଉ ଓ ଉଦ୍ଧାର ସମୀକ୍ଷା କାର୍ଯ୍ୟ ହେବା କଥା। ମାତ୍ର ସମ୍ପୃକ୍ତ ଅଧିକାରୀଙ୍କ ଆନ୍ତରିକତା ଅଭାବ ଏବଂ ଶ୍ରମ ବିଭାଗର ଅବହେଳା ପାଇଁ ଏଯାବତ୍‌ ଟାସ୍କଫୋର୍ସ ମାଧ୍ୟମରେ ଜଣେ ବି ଶିଶୁ ଶ୍ରମିକ ଉଦ୍ଧାର ହୋଇ ନ ଥିବା ଜଣାପଡ଼ିଛି। ବିଶେଷକରି ଏହି ଦୁଇ ମାସ ମଧ୍ୟରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଗୋପାଳପୁର ଛକ କ୍ରିଷ୍ଣା ହୋଟେଲ ଓ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶରେ ମଧୁବନ ହାଟର ହିଙ୍ଗୁଳା ହୋଟେଲରେ ହୋଇଥିବା ଚଢାଉରେ ଶିଶୁ ସୁରକ୍ଷା ଅଧିକାରୀ ଓ ପୋଲିସ ମିଳିତ ଭାବରେ ସାମିଲ ଥିଲେ। ତେବେ ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଟାସ୍କଫୋର୍ସ ମାଧ୍ୟମରେ ଚଢାଉ ଓ ଉଦ୍ଧାର ହେବା ନିୟମ ରହିଛି। ତେଣୁ ଏହି ଦୁଇଟି ଘଟଣାରେ ହୋଟେଲ ମାଲିକଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଟାସ୍କଫୋର୍ସ ମାଧ୍ୟମରେ ଚଢାଉ ହେଉ ନ ଥିବାରୁ ଶିଶୁ ଅଧିକାର କ୍ଷୁଣ୍ଣ କରୁଥିବା ଲୋକଙ୍କ ବିରୋଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ହୋଇପାରୁନି। ଫଳରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଥିବା ମତପ୍ରକାଶ ପାଉଛି। ଏହା ଅଧାରୁ ପାଠ ଛାଡ଼ିବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ସ୍କୁଲକୁ ପିଲାମାନେ ପାଠ ପଢ଼ିବାକୁ ନ ଯାଇ କେଉଁଠି ମାଛ ମାରୁଛନ୍ତି ତ ଅନ୍ୟ କେଉଁଠି ବୋତଲ, ଜରି ଗୋଟାଉଥିବା ଦେଖିବାକୁ ମିଳୁଛି।