ପିଲାଙ୍କ ସଂସ୍କାର

ଗୋଟେ ଛୋଟ ଅଥଚ ଜନଗହଳିପୂର୍ଣ୍ଣ ଛକରେ ମୋର ଗାଡ଼ି ପାର୍କିଂ କଲାବେଳେ ସେଠି ଥିବା ଗୋଟେ ସ୍କୁଟରର ପାଖାପାଖି ଚାଲି ଆସିଲା। ସ୍କୁଟର ଉପରେ ବସିଥିବା ଝିଅଟିଏ ଧକ୍କା ହୋଇଯିବା ଆଶଙ୍କାରେ ଡରିଯାଇ ଓହ୍ଲାଇ ପଡିଲା ବେଳକୁ ତଳେ ପଡ଼ିଗଲା। ଝିଅଟି ଉଠିପଡ଼ି ମତେ ଗାଳିଦେବା ଆରମ୍ଭ କରିଦେଲା। ସେ ତା’ ଭାଇକୁ ଫୋନ କରି ଡକେଇଲା। ଅବିଳମ୍ବେ ତା’ର ଭାଇ ସହ ଦି’ଜଣ ଯୁବକ ପହଞ୍ଚିଯାଇ ମତେ ଦୁର୍ବ୍ୟବହାର କଲେ। କିଛି ସମୟ ପରେ ଝିଅଟି କହିଲା, ଏଭଳିଆ ଷ୍ଟାଣ୍ଡାର୍ଡ ନ ଥିବା ଲୋକଙ୍କ ସହ ପାଟିତୁଣ୍ଡ କଲେ ଆମର ଇଜ୍ଜତ ଯିବ। ଭଉଣୀ କଥା ମାନି ଭାଇ ‘ତୋ କଥା ପରେ ବୁଝିବି’ ଭଳି ସଂକ୍ଷିପ୍ତ ଧମକଟିଏ ଦେଇ ଚାଲିଗଲା।
ସେଇ ମୁହୂର୍ତ୍ତରୁ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ଇଚ୍ଛା ହେଉଥିଲେ ବି ସେଇଠି ଅମର ଓ ତା’ପରିବାରବର୍ଗଙ୍କୁ ଅପେକ୍ଷା କରିବାକୁ ଆଗରୁ ସ୍ଥିର ହୋଇଥିବାରୁ ବାଧ୍ୟ ହୋଇ ଅଟକି ରହିଲି। ଅମର ଓ ତା’ ବାପା ଶରତବାବୁ ଆସି ପହଞ୍ଚିବା ପରେ ଗୋଟେ ଅଚାନକ ଅସୁସ୍ଥତାର ବାହାନା କରି ଖସି ଆସିବାକୁ ଚେଷ୍ଟା କଲି। କିନ୍ତୁ ମୋ ବିନା ସେ ଆଦୌ ଯିବନି ଏବଂ କାର୍ଯ୍ୟକ୍ରମଟିକୁ ସ୍ଥଗିତ ରଖିବାକୁ ଅମର ଜିଦ୍‌ କରିବାରୁ ବାଧ୍ୟ ହୋଇ ସେମାନଙ୍କ ସହ ଯିବାକୁ ରାଜି ହେଲି।
ମୋ ପାଖରେ ପ୍ରାୟ ଦଶ ବାର ବର୍ଷ ତଳେ ଛାତ୍ର ଥିବା ଅମର ଦୀର୍ଘ ଦିନରୁ ପସନ୍ଦ କରିଥିବା ଝିଅକୁ ଦେଖି ଆଜି ବାହାଘର ସ୍ଥିର କରିବା କାର୍ଯ୍ୟରେ ମୋର ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦେଉଥାଏ। ଝିଅକୁ କେବଳ ମୁଁ ମୋ ବାଗରେ ପରଖି ସ୍ବୀକୃତି ଦେଲେ ଯାଇ କଥା ଆଗେଇବ ବୋଲି ଅମର ଆଗରୁ ଜଣାଇଦେଇଥିବାରୁ ମତେ ଦେଖିବା ପାଇଁ ଝିଅ ଘର ଲୋକଙ୍କ ଭିତରେ ଖୁବ୍‌ ଉତ୍ସୁକତା ଥାଏ। ଝିଅ ଘରେ ଆମର ଯଥାଯଥ ଆତିଥ୍ୟ ପରେ ଝିଅଟି ଆମ ସାମ୍ନାକୁ ଆସିବାର ପର୍ବ। ସୁନ୍ଦର ଭାବେ ସଜେଇ ହୋଇ ଆସି ଆମକୁ ପ୍ରଣାମ କରି ଝିଅଟି ମୁହଁ ଉଠେଇ ଚାହିଁଲା ବେଳକୁ ମୋ ଉପରେ ନଜର ପଡିବା ମାତ୍ରେ ଚମକି ପଡ଼ିଲା। ଭୟରେ ହାତ ଥରିଉଠି ଦେହ ମୁହଁରେ ଝାଳ ଉକୁଟି ଉଠିଲା। ତା’ର ଏ ଅବସ୍ଥା ଦେଖି ଅମର ଓ ଅନ୍ୟମାନେ କ’ଣ ହେଇଛି ବୋଲି ଝିଅକୁ ପଚାରିବାରୁ ସେ ‘ମୋର ଭୁଲ ହେଇଯାଇଛି। ମୁଁ ଆପଣଙ୍କୁ ଚିହ୍ନି ନ ଥିଲି, ମତେ କ୍ଷମା କରିଦିଅନ୍ତୁ’ କହି କାନ୍ଦି ପକେଇଲା। ତା’ କାନ୍ଦ ଶୁଣି ତା’ର ଭାଇ ଓ ଅନ୍ୟମାନେ ଧାଇଁ ଆସିଲେ। ମତେ ଦେଖି ଭାଇର ଅବସ୍ଥା ମଧ୍ୟ ଭଉଣୀପରି ହେଇଗଲା। ‘ଆଇ ଆମ୍‌ ସରି’ କହିଦେଇ ସେ ଚୁପ୍‌ଚାପ ଛିଡ଼ା ହେଇରହିଲା। ଘଟଣାଟି ଜଣେଇବାକୁ ଅମର ବାଧ୍ୟ କରିବାରୁ ଝିଅଟି ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କଲା। କଥା ଶେଷ ହେଲାବେଳକୁ ଅମର ରାଗରେ ଲାଲ ପଡ଼ିଯାଇଥାଏ। ଏମିତି ଗୋଟେ ଛୋଟ ଘଟଣାକୁ ଗୁରୁତ୍ୱ ନ ଦେବାକୁ ମୁଁ କହିବା ମାତ୍ରେ ଝିଅର ବାପା ତତ୍‌କ୍ଷଣାତ କହିଲେ, ‘ଆଜ୍ଞା, ପିଲାମାନେ ତ ଭୁଲ କରିବେ। କିନ୍ତୁ ଆମେମାନେ ଏମିତି ଗୁରୁତ୍ୱହୀନ ଛୋଟଛୋଟ ଘଟଣାକୁ ଧରିବା ଉଚିତ ହେବନି।’
ଅମରର ବାପା କହିଲେ, ‘ବୁଝିଲେ ଆଜ୍ଞା, ଜଣକର ଚରିତ୍ର ବିଷୟରେ ଜାଣିବା ପାଇଁ ଏମିତି ଛୋଟଛୋଟ ଘଟଣା ହିଁ ଯଥେଷ୍ଟ। ଆମର ବିଚାର, ଚରିତ୍ର ଆଉ ସଂସ୍କାର ଅନୁସାରେ ଆମ ପିଲା ବଢ଼ିଥାନ୍ତି। ଆପଣ ପିଲାଙ୍କୁ ରୋଜଗାରକ୍ଷମ କରିଦେଇଛନ୍ତି ସିନା, ସେମାନଙ୍କୁ ସଂସ୍କାର, ଶିଷ୍ଟାଚାର ଶିକ୍ଷା ଦେଇନାହାନ୍ତି। ଅନ୍ୟମାନଙ୍କୁ ସମ୍ମାନ ଦେବା କଥା ଆପଣ ସେମାନଙ୍କୁ ଶିଖେଇ ନାହାନ୍ତି। ନ ହେଲେ ନିଜଠାରୁ ଯଥେଷ୍ଟ ବୟସ୍କ ଜଣେ ବ୍ୟକ୍ତିଙ୍କୁ ସେମାନେ ଆଜି ଏମିତି ବ୍ୟବହାର କରି ନ ଥାନ୍ତେ। ଅବଶ୍ୟ ସେମାନଙ୍କ ଏ ବ୍ୟବହାର ପ୍ରତି ଆପଣଙ୍କ ଦୃଷ୍ଟିଭଙ୍ଗୀ ଜଣେଇଦେଉଛି ଯେ ସେମାନଙ୍କ ଏ ପ୍ରକାର ଚରିତ୍ର ଅତ୍ୟନ୍ତ ସ୍ବାଭାବିକ, କାରଣ ଆପଣଙ୍କଠାରୁ ହିଁ ସେମାନେ ଏସବୁ ଆହରଣ କରିଛନ୍ତି। କିନ୍ତୁ ମନେରଖନ୍ତୁ, ଅନ୍ୟମାନଙ୍କୁ ଦୁର୍ବ୍ୟବହାର ଦେଖେଇବା ଯାହାର ଚରିତ୍ର, ସେ ଆତ୍ମୀୟସ୍ବଜନଙ୍କୁ ମଧ୍ୟ ଛାଡ଼ିବନି। କାଲି ସେମାନେ ଆପଣଙ୍କୁ ମଧ୍ୟ ଏ ପ୍ରକାର ବ୍ୟବହାର ଦେଖେଇବେ।
ଅମର କହିଲା, ‘ଆଉ ସମୟ ନଷ୍ଟ କରିବା ଉଚିତ ନୁହଁ। ଘରକୁ ଯିବା।’ଆମ ସହ ଯାଇଥିବା ଜଣେ ଭଦ୍ରଲୋକ ଫେରିବା ବାଟରେ କହିଲେ, ‘ବୁଝିଲେ ଆଜ୍ଞା, ଏ ଝିଅର ଭାଇ ସହ ମୋ ଝିଅର ପ୍ରସ୍ତାବ ପକେଇବା କଥା ମୁଁ ଭାବୁଥିଲି। ହେଲେ ଏତେକାଣ୍ଡ ଜାଣିବା ପରେ ଯାହା ଟିକେ ମନ ଊଣା ହେଇଥିଲା, ପିଲାର ମାଆକୁ ଦେଖିଲା ପରେ ଆଦୌ ନ ଆଗେଇବାକୁ ସ୍ଥିର କଲି। ଛ’ ମାସ ପାଇଁ ମୁଁ ତାଙ୍କର ସହକର୍ମୀ ଥିବାବେଳେ ତାଙ୍କୁ ଅନୁଧ୍ୟାନ କରିଛି। ଖୁବ୍‌ ଅହଙ୍କାରୀ ମହିଳା ଜଣେ। ଆମେ ଯିଏ ଯେତେ ବୟସ୍କ ହେଇଥିଲେ ବି ସେ କାହାରିକୁ ନମସ୍କାର କରନ୍ତିନି। ସମସ୍ତଙ୍କ ସହ ଝଗଡ଼ା। ତାଙ୍କ କଥାବାର୍ତ୍ତାରେ ଅନ୍ୟମାନଙ୍କ ପ୍ରତି ଅସମ୍ମାନ, ବେଖାତିର ଭାବ। ଏଭଳିଆ ମାଆର ପିଲାମାନେ ଆଉ କେମିତି ହେବେ! କୋଉ ପିଲା ଭଲ ପଡିବ କି ନାହିଁ ସେକଥା କହିହବନି, କିନ୍ତୁ ସବୁ ଜାଣିସାରିବା ପରେ ନ ଆଗେଇବାଟା ଠିକ୍‌ ହେଇଛି।’
ଅମର କହିଲା,‘ସାର, ମୁଁ ଜାଣେ, ଆପଣ ସମସ୍ତଙ୍କୁ କ୍ଷମା କରିଦେବେ, କିନ୍ତୁ ଆପଣଙ୍କ ଏ ଅସମ୍ମାନ ପାଇଁ ମୁଁ ନିଜକୁ କେବେ କ୍ଷମା କରିପାରିବିନି।’ କିଛି ଉତ୍ତର ନ ଦେଇ ମୁଁ କେବଳ ତା’ ପିଠି ଥାପୁଡେଇ ଦେଇ ସେ ହୃଦୟରେ ସାଇତିଥିବା ସଂସ୍କାର କଥା ଭାବି ଖୁସି ହେଉଥିଲି। ଏବଂ ଏ ପ୍ରକାର ଘଟଣା ଯୋଗୁ ବାହାଘର ପରି ଜୀବନର ଗୋଟେ ଗୁରୁତ୍ୱପୂର୍ଣ୍ଣ ଘଟଣା ଏମିତି ମୋଡ଼ ନେଇଥିବାରୁ ଦୁଃଖ ଅନୁଭବ କରୁଥିଲି।

ହରେକୃଷ୍ଣ ଦାସ
ଅଧ୍ୟାପକ, ଇଂଲିଶ୍‌ ବିଭାଗ, ନିଆଳି ମହାବିଦ୍ୟାଳୟ, ନିଆଳି, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri