ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲା ଗସ୍ତ ଆଜି

ଛତ୍ରପୁର,୨୬।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ହିଞ୍ଜିଳି, କବିସୂର୍ଯ୍ୟନଗର ଓ ଛତ୍ରପୁରରେ ସାଧାରଣ ସଭାରେ ଉଦବୋଧନ ଦେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ପଟ୍ଟା ବଣ୍ଟନ କରିବେ। ଜିଲାରେ ୧୯୫୨.୮୯ କୋଟି ଟଙ୍କାର ୮୨୫ଟି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ୨୨ ହଜାର ୨୦୦ ସ୍ବୟଂ ସହାୟକ ଗୋଷ୍ଠୀର ୨.୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରିବେ। ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଜିଲାର ୩ଟି ସ୍ଥାନରେ କାର୍ଯ୍ୟକ୍ରମ ଥିବାରୁ ୩ଜଣ ଏସ୍‌ପିଙ୍କୁ ପୃଥକ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଛି। ଛତ୍ରପୁର ସହର ପାଇଁ ବ୍ରହ୍ମପୁର ଏସପି, ହିଞ୍ଜିଳି ପାଇଁ ଗଞ୍ଜାମ ଏସପି ଏବଂ କବିସୂର୍ଯ୍ୟନଗର ପାଇଁ କନ୍ଧମାଳ ଏସପି ଦାୟିତ୍ୱରେ ରହିଛନ୍ତି। ଏଥିସହ ୧୫୦ରୁ ଊର୍ଦ୍ଧ୍ୱ ସିନିୟର ପୋଲିସ ଅଫିସର, ୪୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୧ ଟାରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ଆସି କବିସୂର୍ଯ୍ୟନଗରରେ ପହଞ୍ଚତ୍ବେ। ପରେ ହିଞ୍ଜିଳି ଓ ଶେଷରେ ଛତ୍ରପୁରରେ କାର୍ଯ୍ୟକ୍ରମ ସାରି ଅପରାହ୍ନ ୪ ଟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।