କଟକ,୨୬ା୧: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କଟକସ୍ଥିତ ବିଡ଼ାନାସୀଠାରେ ପତାକା ଉତ୍ତୋଳନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇସାରିଲାଣି। ଏଥିରୁ କେହି ବାଦ୍ ପଡ଼ିବେ ନାହିଁ। ସର୍ଭେ ଚାଲିଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ନିଶ୍ଚିତ ସୁଭଦ୍ରା ଟଙ୍କା ମିଳିବ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜିର ଦିନରେ ମହାନ ଜନନାୟକଙ୍କୁ ମନେ ପକାଇବା ପରମ ସୁଯୋଗ ମିଳିଛି। ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ପରମ ଲକ୍ଷ୍ୟ। ଦେଶର ଗଣତନ୍ତ୍ର ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଜାୟ ସହ ଦେଶର ଅଗ୍ରଗତି ହେଉଛି। ଖୁବ୍ଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି। ୧୪୦ କୋଟି ଭାରତୀୟଙ୍କ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି। ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଅଧିକାର ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହେବାକୁ ଯାଉଛି। ଗାଁରୁ ବିକାଶ ଆରମ୍ଭ ହେଉଛି, ସରକାର ଏନେଇ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ଓଡ଼ିଆ ଅସ୍ମିତା ସହ ଓଡ଼ିଶାର ବିକାଶ ଆଗେଇ ଚାଲିଛି। ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଅନବରତ କାମ କରୁଛନ୍ତି। ଆଜି ଉତ୍ସବର ଦିନ ନୁହେଁ, ସମ୍ବିଧାନକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ୱ। ସମୃଦ୍ଧ ଓ ବିକଶିତ ଓଡ଼ିଶା ନିର୍ମାଣରେ ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବ ବୋଲି କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ।


