ଏସ୍‌ଏଚ୍‌ଜି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଋଣର ସୁଧ ଫେରାଇବେ ସରକାର

ଭୁବନେଶ୍ୱର, ୨୩ା୨(ବନ୍ଦନା ସେଠୀ): ଓଡ଼ିଶାରେ ଭାଜପା କ୍ଷମତାସୀନ ହେବା ପରଠୁ ମହିଳା ସଶକ୍ତୀକରଣ ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଛନ୍ତି। ଏହି କ୍ରମରେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକର ଋଣ ଉପରେ ସୁଧ ଫେରସ୍ତ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ତଦନୁଯାୟୀ ରାଜ୍ୟର ୩ ଲକ୍ଷରୁ ଊର୍ଦ୍ଧ୍ୱ ଏସ୍‌ଏଚ୍‌ଜିକୁ ୧୦ ଲକ୍ଷ ଟଙ୍କାର ଋଣ ଉପରେ ସୁଧ ବାବଦରେ ୩୦୦ କୋଟି ଟଙ୍କା ଫେରାଇ ଦିଆଯିବ। ଜନତା ମଇଦାନରେ ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଉଦ୍ଦିଷ୍ଟ ‘ସୁଭଦ୍ରା ଶକ୍ତି ମେଳା’କୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲକ୍ଷପତି ଦିଦି’ ସୃଷ୍ଟି ଅଭିଯାନ ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ଏହି ସୁଧ ଫେରସ୍ତ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୩ ବର୍ଷରେ ‘ଲକ୍ଷପତି ଦିଦି ସହାୟିକା ଯୋଜନା’ରେ ୨.୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଏସ୍‌ଏଚ୍‌ଜି ମା’ମାନେ ବାର୍ଷିକ ଅନୂ୍ୟନ ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

ଜନତା ମଇଦାନରେ ପ୍ରଥମ ସୁଭଦ୍ରା ଶକ୍ତିମେଳାକୁ ଶନିବାର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରେ ୩ଲକ୍ଷରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ୩୦୦କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ। ଏଥିସହ ଚଳିତବର୍ଷ ସରକାର ରାଜ୍ୟର ପ୍ରାୟ ୫. ୮୦ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ରିଭଲ୍‌ଭିଂ ଫଣ୍ଡ୍‌ ପରିମାଣକୁ ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେଶନ ବା ଜିପିଏଲ୍‌ଏଫ୍‌ମାନଙ୍କୁ ପ୍ରଦାନ କରାଯାଉଥିବା କମ୍ୟୁନିଟି ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌କୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଆନ୍ଦୋଳନ। ବ୍ୟକ୍ତିଗତସ୍ତରରେ ହେଉ ବା ଗ୍ରୁପ୍‌ସ୍ତରରେ, ପ୍ରତ୍ୟେକ ମହିଳା ଯେପରି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ବତନ୍ତ୍ରତା ହାସଲ କରିବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ମା’ମାନଙ୍କ ମଧ୍ୟରେ ଅସୀମ ଶକ୍ତି ରହିଛି। ସେମାନଙ୍କ ଅନ୍ତନିର୍ହିତ ଶକ୍ତିର ଜାଗରଣ ପାଇଁ ସରକାର ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିଛନ୍ତି। ଏହି ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ। ଏହା ଆମ ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ସଫଳତାର କାହାଣୀ। ସେହିପରି ଓଡ଼ିଶାର ଅର୍ଥନୈତିକ ଇତିହାସରେ ସୁଭଦ୍ରା ସବୁଠାରୁ ବଡ ଯୋଜନା। ବର୍ତ୍ତମାନ ସୁଦ୍ଧା ୯୮ଲକ୍ଷରୁ ଅଧିକ ସୁଭଦ୍ରା ମା’ଙ୍କୁ ୪ହଜାର ୯୦୦କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ଭାବରେ ଆଉ ୫ ହଜାର ଟଙ୍କା ଲେଖାଏ ଦିଆଯିବ। ୧ କୋଟି ମହିଳା ଏହି ଅର୍ଥକୁ ପୁଞ୍ଜି ଭାବେ ଗ୍ରହଣ କରି ବ୍ୟବସାୟ କଲେ ଓଡ଼ିଶାର ଅର୍ଥନୀତି ଉପରେ ଏହାର ସୁପ୍ରଭାବ ପଡିବ। ସେହିପରି ସୁଭଦ୍ରା ପ୍ଲାଟ୍‌ଫର୍ମରେ ମହିଳା, ଝିଅମାନଙ୍କ ପାଇଁ ଖୁବ୍‌ଶୀଘ୍ର ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ ହେବ। ‘କିଶୋରୀ ସୁଭଦ୍ରା’, ‘ସୁଭଦ୍ରା ସଞ୍ଚୟ’, ‘ସୁଭଦ୍ରା ସଖୀ’, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ ବା କ୍ଲବ’, ‘କୁହ ସୁଭଦ୍ରା ବା ସୁଭଦ୍ରା କଲ୍‌ ସେଣ୍ଟର’, ‘ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ପଣ୍ଡିତ’ ‘ସୁଯୋଗ୍ୟ ସୁଭଦ୍ରା’ ଭଳି ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯିବ। ସୁଭଦ୍ରା ଯୋଜନାରେ ଆଗାମୀ ଆର୍ଥିକ ବର୍ଷରେ ୧୦,୧୪୫ କୋଟି ଟଙ୍କା ବରାଦ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମେଳାରେ ଆୟୋଜିତ ଷ୍ଟଲ୍‌ ବୁଲି ଦେଖିବା ସହିତ ସ୍ବୟଂ ସହାୟକ ମହିଳାଙ୍କ ଉତ୍ପାଦିତ ସାମଗ୍ରୀର ଉଚ୍ଚ ପ୍ରଶଂସା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ମେଳା ନାରୀ ଶକ୍ତିର ବିକାଶ ଓ ସମୃଦ୍ଧିର ପ୍ରତୀକ। ଓଡ଼ିଶାର ମା’ ଭଉଣୀମାନେ ନିରନ୍ତର ପରିଶ୍ରମ କରିବା ସହ ସଫଳ ହେବା ପାଇଁ ଚେଷ୍ଟା କଲେ, ୨୦୩୬ ପୂର୍ବରୁ ଆମେ ବିକଶିତ ଓଡ଼ିଶା ଗଠନ କରିବାରେ ସକ୍ଷମ ହୋଇପାରିବା। କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇଥିଲେ। ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିବାବେଳେ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ। ମେଳାରେ ୭୦୦ରୁ ଅଧିକ ଏସ୍‌ଏଚ୍‌ଜି ୩୦୦ରୁ ଅଧିକ ଷ୍ଟଲରେ ୨୦୦ରୁ ଅଧିକ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ମାର୍ଚ୍ଚ ୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗର ଚଢ଼ାଉ: ମଦ ପ୍ରସ୍ତୁତି ସମୟରେ ହଠାତ୍‌…

ଜଳେଶ୍ୱର,୪ା୩(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଜଳେଶ୍ୱର ବ୍ଲକ ରାଇବଣିଆ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ କମାଲ୍‌ କରିଦେଲା ଭାରତ: ଥରିବ ପାକିସ୍ତାନ, ଆମେରିକା ମଧ୍ୟ ହୋଇଯିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୪।୩: ବିଶ୍ୱ ବର୍ତ୍ତମାନ ଶସ୍ତା କିନ୍ତୁ ଘାତକ ଡ୍ରୋନ ଯୁଦ୍ଧର ପ୍ରଭାବ ଦେଖୁଛି। ଇରାନର କମ ମୂଲ୍ୟର ଶାହେଦ-୧୩୬ ଆତ୍ମଘାତୀ ଡ୍ରୋନ ଏବଂ ଆମେରିକାର LUCAS ଡ୍ରୋନ…

ଭାରସାମ୍ୟ ହରାଇ ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ, ଭିତରେ ଥିଲେ…

ମୋହନା,୪ା୩(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିପଡ଼ିଲା ବୋଲେରୋ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ବ୍ୟକ୍ତି। ସୂଚନା ପ୍ରକାରେ ଅଡ଼ବା…

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri