୨୬ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ଫୋକସ ମିଶନ ଶକ୍ତି

ଛତ୍ରପୁର,୨୩।୩(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ଗଞ୍ଜାମ ଜ଼ିଲା ଗସ୍ତରେ ଆସିବା ନେଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ ଘଣ୍ଟିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ଜ଼ିଲାର ହିଞ୍ଜିଳି, କବିସୂର୍ଯ୍ୟନଗର ଓ ଛତ୍ରପୁରକୁ ଆୟୋଜିତ ସାଧାରଣ ସଭାରେ ଜନତାଙ୍କୁ ଉଦବୋଧନ ଦେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଏବଂ ପଟା ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ମିଶନ ଶକ୍ତି ଅଧୀନ ମହିଳା ସଙ୍ଘମାନଙ୍କୁ ମୁଖ୍ୟମନ୍ତ୍ରୀ ଚେକ ବଣ୍ଟନ କରିବେ। ଉକ୍ତ ୩ଟି ସ୍ଥାନରେ ପହଞ୍ଚିିବା କ୍ଷଣି ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି କବିସୂର୍ଯ୍ୟନଗରରେ ପହଞ୍ଚିବେ ଏବଂ ପରେ ହିଞ୍ଜିଳି ଓ ଶେଷରେ ଛତ୍ରପୁରରେ କାର୍ଯ୍ୟକ୍ରମ ସାରି ଅପରାହ୍ନ ୪ଟାରେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ସ୍ଥାନୀୟ ଏମପି ଓ ବିଧାୟକ, ଜ଼ିଲା ପରିଷଦ ଅଧ୍ୟକ୍ଷା ଉପସ୍ଥିତ ରହି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।