ଛତ୍ରପୁର ଆସନ ସୁବାସଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବ୍ରହ୍ମପୁର,୯ା୪(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ହାୱା ସରଗରମ ହୋଇଛି। ଗତ ନିର୍ବାଚନ ପରେ ଏଠାର ରାଜନୀତି ସମୀକରଣ ସମ୍ପୂର୍ଣ୍ଣ ବଦଳିଛି। ଉକ୍ତ ବିଧାନସଭା କ୍ଷେତ୍ରରେ ଥିବା ୩ ସହରରେ ପୌରାଧ୍ୟକ୍ଷ ଆସନ ବିଜେଡି ବିରୋଧରେ ଯାଇଛି। ନିର୍ବାଚନରେ ସହରୀ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ରହୁଥିବାରୁ ବିଜେଡି ପ୍ରାର୍ଥୀ ସୁବାସ ବେହେରାଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହେବ ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଉଛି।
ଛତ୍ରପୁର ନିର୍ବାଚନମଣ୍ଡଳୀ ଛତ୍ରପୁର ବ୍ଲକର ୧୮ ପଞ୍ଚାୟତ, ଛତ୍ରପୁର ଏନ୍‌ଏସି, ଗଞ୍ଜାମ ବ୍ଲକର ୧୫ ପଞ୍ଚାୟତ, ଗଞ୍ଜାମ ଏନ୍‌ଏସି ଓ ରମ୍ଭା ଏନ୍‌ଏସିକୁ ନେଇ ଗଠିତ। ୨୦୧୪ ନିର୍ବାଚନରେ ବିଜେଡିର ପ୍ରିୟାଂଶୁ ପ୍ରଧାନ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର କୃଷ୍ଣଚନ୍ଦ୍ର ନାୟକଙ୍କୁ ହରାଇ ଜିତିଥିଲେ। ୨୦୧୭ ଜିଲା ପରିଷଦ ଚେୟାରମ୍ୟାନ ଥିବା ସୁବାସ ବେହେରାଙ୍କୁ ୨୦୧୯ରେ ବିଜେଡି ବିଧାନସଭା ପ୍ରାର୍ଥୀ ରୂପେ ନୂଆ ମୁହଁ ଦେଇଥିଲା। ସେ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଶାନ୍ତ କୁମାର କରଙ୍କୁ ପରାସ୍ତ କରି ଜିତିଥିଲେ। ଏବେ ପୁଣି ୨୦୨୪ ନିର୍ବାଚନରେ ବିଜେଡି ସୁବାସଙ୍କୁ ରିପିଟ୍‌ କରିଛି। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି ଭାଜପାର କୃଷ୍ଣଚନ୍ଦ୍ର ନାୟକ। ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ପ୍ରାର୍ଥତ୍ତ୍ୱକୁ ଭାଜପାର ଟିକେଟ ଆଶାୟୀ ଥିବା ପ୍ରଶାନ୍ତ କୁମାର କର ଓ ବିଜେଡିରୁ ଯାଇ ଭଜପାରେ ମିଶିଥିବା ବନମାଳୀ ସେଠୀଙ୍କ ସମର୍ଥକମାନେ ସହଜେ ହଜମ କରିପାରୁନାହାନ୍ତି। ଅନ୍ୟପଟେ ୧୨ ୱାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସିରେ ଯଦିଓ ବିଜେଡିର ଅଧିକ କାଉନ୍‌ସିଲର ଅଛନ୍ତି , ଅଧ୍ୟକ୍ଷ ଦାୟିତ୍ୱ ସ୍ବାଧୀନ ପ୍ରାର୍ଥୀ ପ୍ରତିଭା ପାଢ଼ୀଙ୍କ ହାତରେ ରହିଛି। ରମ୍ଭା ଏନ୍‌ଏସିରେ ଅଧିକ ଭାଜପା କାଉନ୍‌ସିଲର ଥିବାବେଳେ ଅଧ୍ୟକ୍ଷ ଦାୟିତ୍ୱ ଭାଜପାର ମାନସୀ ସ୍ବାଇଁଙ୍କ ପାଖରେ ରହିଛି। ସେହିପରି ଅଧିକ ବିଜେଡି କାଉନସିଲର ଥିବା ଛତ୍ରପୁର ଏନ୍‌ଏସିର ଭାର ଭାଜପାର ଶର୍ମିଷ୍ଠା ପ୍ରଧାନ ସମ୍ଭାଳୁଛନ୍ତି। କିନ୍ତୁ କୃଷ୍ଣଚନ୍ଦ୍ର ସିପିଆଇରୁ ଆସି ଭାଜପାରେ ଯୋଗଦେଇଥିବାରୁ ଭାଜପା ଓ ସିପିଆଇର ସମର୍ଥକଙ୍କୁ ନେଇ ସେ ତାଙ୍କ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଇଛି। ଉଭୟ ଦଳର ଶକ୍ତି ପ୍ରଦର୍ଶନ ବି ଏବେ ରୋଚକ ସ୍ଥିତିକୁ ଆସିଯାଇଛି। ଆଗାମୀ ଦିନରେ ନିର୍ବାଚନୀ ସମୀକରଣ ବଦଳିଯାଇପାରେ ବୋଲି ଆଲୋଚନା ହେଉଛି। ଏଠାରେ ବିଜେଡି ଓ ଭାଜପା ଭିତରେ ମୁଖ୍ୟତଃ ଲଢ଼େଇ ହୋଇପାରେ। ଏ ସଂକ୍ରାନ୍ତରେ ବିଜେଡି ପ୍ରାର୍ଥୀ ସୁବାସ ବେହେରା ଦଳର ସମ୍ମାନ ରକ୍ଷା ପାଇଁ ଲୋକ ସମର୍ଥନ ଓ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକୁ ନେଇ ମଇଦାନକୁ ଓହ୍ଲାଇଥିବା କହିଛନ୍ତି।