ଭୁବନେଶ୍ୱର,୧୬ା୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ଝରାପଦାର ଗ୍ରାମର ବାପା ମା ଛେଉଣ୍ଡ ଅସହାୟ ଭାଇ ଭଉଣୀଙ୍କୁ ସାହାୟତାର ହାତ ବଢ଼ାଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ବିଧାୟକ ନିଜସ୍ୱ ପାଣ୍ଠିରୁ ୧୦ ହଜାର ଅର୍ରରାଶି ପ୍ରଦାନ କରିଥିବା ବେଳେ ରେଡକ୍ରସ ପକ୍ଷରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅର୍ଥରାଶି ପ୍ରଦାନ ବେଳେ ବିଧାୟକଙ୍କ ସହ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର ଉପସ୍ଥିତ ରହିଥିଲେ ।
ସୂଚନାଥାଉକି ପିତାଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମାତାଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡିଛନ୍ତି ଭାଇ ଭଉଣୀ । ସ୍ଥାନୀୟ ଅଞ୍ଚଳରେ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏକ ଭୂମିହୀନ ପରିବାରରେ ୯ ମାସ ମଧ୍ୟରେ ପିତା ଓ ମାତାଙ୍କ ଅକାଳ ବିୟୋଗ ରେ ଝିଅ ସୁଇଟି (୧୭) ଓ ପୁଅ କାଳିଆ (୧୪) ପୂରାପୁରି ଅସହାୟ ହୋଇପଡିଛନ୍ତି । ପରିବାରର ମୂଖ୍ୟ ରୋଜଗାରିଆ ରବି ମହାଙ୍କୁଡ (୪୫) ଋଣଭାର ଓ ଆର୍ଥିକ କଷ୍ଟରୁ ମୁକ୍ତି ପାଇବା ପାଇଁ ୯ ମାସ ତଳେ ଖଲିକୋଟ ଅଞ୍ଚଳର ଏକ ଠିକାଦାରଙ୍କ ସହାୟତାରେ ହାଇଦ୍ରାବାଦର ଏକ ଘୋରେଇ କମ୍ପାନୀରେ ଶ୍ରମିକ ଭାବେ କାମକୁ ଯାଇଥିଲେ। କାମ କରୁଥିବା ସମୟରେ ପାଣି ଟାଙ୍କି ଭୁଶୁଡି ପଡିଯିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ।
ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିବା ଝୁନୁ ମହାଙ୍କୁଡ (୩୯) ଆନ୍ତ୍ର କ୍ୟାନ୍ସରରେ ପୀଡିତ ହୋଇଥିବା ଜାଣିବାକୁ ମିଳିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ଦୀର୍ଘଦିନ ଚିକିତ୍ସାଧୀନ ରହିବା ପରେ ଗତ ୧୧ ତାରିଖରେ ସେ ମୃତ୍ୟୁବରଣ କରିଛନ୍ତି । ରବି ଓ ଝୁନୁ ଭୂମିହୀନ ଥିଲେ । ନିଜ ଘର ନଥିବାରୁ ଭଡାଘରେ ରୁହିଥିଲେ । ଗାଁଗାଁ ବୁଲି ଟେକ୍ସନାରୀ ସାମଗ୍ରୀ ବିକି ପରିବାର ପ୍ରତିପୋଷଣ କରୁଥିଲେ । ଦୁଇଜଣଙ୍କ ଅକାଳ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ମୁରବୀ ଶୂନ୍ୟ ଓ ଆଶ୍ରୟ ବିହୀନ ହୋଇପଡ଼ିଛି । ଝିଅ ସୁଇଟି ଦଶମ ଶ୍ରେଣୀ ପାସ କରିଥିବା ବେଳେ ପୁଅ ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଦେବ ।

