Categories: Home Leftଖେଳ

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ ପ୍ରଦର୍ଶନ କରିଥିଲେ। ଏପର୍ଯ୍ୟନ୍ତ ନିଜ ଟେଷ୍ଟ କ୍ୟାରିୟରରେ ସେ ମାତ୍ର ୨ଟି ମ୍ୟାଚ ଖେଳିଛନ୍ତି। ତେବେ ତାଙ୍କୁ ରବୀନ୍ଦ୍ର ଜାଡେଜାଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଛି। କାରଣ ସୁତାର ମଧ୍ୟ ଜାଡେଜାଙ୍କ ଭଳି ଲେଫ୍ଟ ଆର୍ମ ସ୍ପିନ ବୋଲିଂ ଅଲରାଉଣ୍ଡର।

ସୁତାରଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆ ଗଲ ଟେଷ୍ଟରେ ୧୬୫ ରନରେ ବିଜୟ ହାସଲ କରିଥିଲା। କିନ୍ତୁ ପୂର୍ବତନ କ୍ରିକେଟର ଚେତେଶ୍ୱର ପୂଜାରା ତାଙ୍କୁ ଏକ ବଡ଼ ପରାମର୍ଶ ଦେଇଛନ୍ତି। ପୂଜାରା କହିଛନ୍ତି ଯେ, ଏହି ଷ୍ଟାର ସ୍ପିନ ବୋଲରଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବା ଉଚିତ୍‌ ନୁହେଁ। ଏଥିସହ ସେ ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ମାନବ ସୁତାରଙ୍କୁ ରେଡ ବଲ ସ୍ପେଶାଲିଷ୍ଟ ବୋଲର ଭାବେ ପ୍ରସ୍ତୁତ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଚେତେଶ୍ୱର ପୂଜାରା କହିଛନ୍ତି ଯେ, ଯୁବ ଖେଳାଳିମାନଙ୍କ ମଧ୍ୟରେ ଛୋଟ ଫର୍ମାଟରେ ଖେଳିବାର ଆଗ୍ରହ ରହିଥାଏ। କିନ୍ତୁ ମାନବ ସୁତାରଙ୍କୁ ଏଥିରୁ ଦୂରେଇ ରହିବା ଉଚିତ୍‌। ପୂଜାରାଙ୍କ ମତରେ, ସୁତାର IPL ଖେଳିଲେ ତାଙ୍କ ବୋଲିଂ ସ୍କିଲ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।

ପୂଜାରା କହିଛନ୍ତି, ସମସ୍ତ ଯୁବ ଖେଳାଳି ଚାହିଁବେ ଯେ ସେମାନଙ୍କୁ ଛୋଟ ଫର୍ମାଟରେ ଖେଳିବାର ସୁଯୋଗ ମିଳୁ। କିନ୍ତୁ ଟିମ ଇଣ୍ଡିଆକୁ ମାନବ ସୁତାରଙ୍କୁ ଟେଷ୍ଟ ସ୍ପେଶାଲିଷ୍ଟ ଭାବେ ପ୍ରସ୍ତୁତ କରିବା ଉଚିତ୍‌। ତାଙ୍କର ମଧ୍ୟ IPL ଖେଳିବାକୁ ଇଚ୍ଛା ହୋଇପାରେ, କିନ୍ତୁ ସେଠାକୁ ଯିବା ଉଚିତ୍‌ ନୁହେଁ। ଯଦି ତାଙ୍କୁ IPL ଖେଳିବାର ସୁଯୋଗ ମିଳେ, ତାହା ଭଲ କଥା, କିନ୍ତୁ ଆପଣଙ୍କ ଯେଉଁ ଶକ୍ତି ରହିଛି, ତାହାକୁ ବଦଳାଇବା ଉଚିତ୍‌ ନୁହେଁ।

 

Odisha’s No.1 Odia Daily

Share