ଚେତନ ଚୌହାନ୍‌ କରୋନା ପଜିଟିଭ

ନୂଆଦିଲ୍ଲୀ,୧୨।୭(ପି.ଟି.): ଭାରତୀୟ ପୂର୍ବତନ ଓପନର ତଥା ଉତ୍ତର ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା, ଆର.ପି. ସିଂ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଟୁଇଟ୍‌ କରିବା ପରେ ଏହି କଥା ଜଣା ପଡିଥିଲା। ଶୁକ୍ରବାର ୭୨ ବର୍ଷୀୟ ଚୌହାନଙ୍କ କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ତାଙ୍କୁ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବର୍ତ୍ତମାନ ଚୌହାନଙ୍କ ପରିବାର ସଦସ୍ୟମାନଙ୍କର ଟେଷ୍ଟ କରାଯିବ ଓ ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଉତ୍ତର ପ୍ରଦେଶ କ୍ୟାବିନେଟ୍‌ରେ ଚୌହାନ ସୈନିକ୍‌ ଓ୍ବଲଫେୟାର, ହୋମ୍‌ ଗାଡର୍‌ସ, ପି.ଆର.ଡି. ଓ ସିଭିଲ ସିକ୍ୟୁରିଟି ମିନିଷ୍ଟ୍ରି ବିଭାଗରେ ମନ୍ତ୍ରୀ ରହିଛନ୍ତି। ପୂର୍ବରୁ ଦୁଇଥର ଏମ୍‌ପି ରହିଥିବା ଚୌହାନ ଅନ୍ୟକେତେଜଣ କ୍ରିକେଟରଙ୍କ ଭଳି ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପୂର୍ବତନ ପାକିସ୍ତାନ ଅଧିନାୟକ ଶହିଦ ଆଫ୍ରିଦି ଓ ସ୍କଟଲାଣ୍ଡର ମାଜିଦ ହକ୍‌ ମଧ୍ୟ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି।
୧୯୬୯ରୁ ୧୯୭୮ ମଧ୍ୟରେ ଚୌହାନ୍‌ କ୍ୟାରିୟରରେ ୪୦ଟି ଟେଷ୍ଟ ଖେଳି ୩୧.୫୭ ରନ ହାରରେ ୨୦୮୪ ରନ ସଂଗ୍ରହ କରିଛନ୍ତି। ୯୭ ହେଉଛି ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର। ସେ ମଧ୍ୟ ୭ଟି ଦିନିକିଆ ମ୍ୟାଚ୍‌ ଖେଳି ୧୫୩ ରନ ସଂଗ୍ରହ କରିଛନ୍ତି।
କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ସହ ମିଶି ସେ ଓପିନିଂ ପାର୍ଟନରଶିପ୍‌ରେ ୩,୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ୧୯୭୦ ଦଶକରେ ଏହି ଦୁଇ ଓପନର ୧୦ରୁ ଊର୍ଦ୍ଧ୍ୱ ଶତକୀୟ ଭାଗିଦାରୀ ସ୍ଥାପନ କରିଛନ୍ତି। ଘରୋଇ କ୍ରିକେଟରେ ଦିଲ୍ଲୀ ଓ ମହାରାଷ୍ଟ୍ର ତରଫରୁ ଖେଳି ସେ ବିପୁଳ ସଂଖ୍ୟରେ ରନ୍‌ ସଂଗ୍ରହ କରିଛନ୍ତି।

Share