Categories: ଖେଳ

ଆଜି ଚେନ୍ନାଇ-ଗୁଜରାଟ ଫାଇନାଲ ମୁକାବିଲା

ଭୁବନେଶ୍ୱର, ୧୩।୧(ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ସିଜନ-୨ର ଫାଇନାଲ ଶନିବାର ଚେନ୍ନାଇ କୁଇକ୍‌ ଗନ୍ସ ଓ ଗୁଜରାଟ ଜାଏଣ୍ସ ମଧ୍ୟରେ ଅନୁଷ୍ଠିତ ହେବ।

ସେହିପରି ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ରେ ପରସ୍ପରକୁ ଭେଟିବେ ଗତଥରର ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ଓ ତେଲୁଗୁ ଯୋଦ୍ଧାସ। ଚଳିତ ସିଜନର ପୂରା ଟୁର୍ନାମେଣ୍ଟରେ ଚେନ୍ନାଇ ଦଳ ଚମତ୍କାର ପ୍ରଦର୍ଶନ କରିଛି। ତେଣୁ ଫାଇନାଲ ପାଇଁ ହଟ୍‌ ଫେଭରାଇଟ ବିବେଚିତ ହେଉଛି। ଆଟାକିଂ ହେଉ କିମ୍ବା ଡିଫେଣ୍ଡିଂ ଏହି ଦଳ ସବୁ ବିଭାଗରେ ସର୍ବାଧିକ ପଏଣ୍ଟ ହାସଲରେ ସକ୍ଷମ ହୋଇଛି। ଏହି ଦଳରେ ସିଜନର ଶ୍ରେଷ୍ଠ ଖେଳାଳି ରାମଜି କାଶ୍ୟପ ରହିଛନ୍ତି। ସେ ଲିଗ୍‌ର ଶ୍ରେଷ୍ଠ ଡିଫେଣ୍ଡର ଓ ଷ୍ଟ୍ରାଇକର ବିବେଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସକୁ ହରାଇଥିବାରୁ ଗୁଜରାଟ ଜାଏଣ୍ଟ୍ସ ଖେଳାଳିଙ୍କ ମନୋବଳ ମଧ୍ୟ ବହୁ ଉପରେ ରହିଛି। ସେମିଫାଇନାଲରେ ଫର୍ମରେ ନଜରକୁ ଆସିଥିବା ସୂୟାଶ ଗର୍ଗାଟେ ଓ ସଙ୍କେତ କଦମଙ୍କ ଉପରେ ନଜର ରହିବ। ତୃତୀୟ ସ୍ଥାନ ପାଇଁ ଓଡ଼ିଶା ଜଗରନଟ୍ସ – ତେଲୁଗୁ ଯୋଦ୍ଧାସ ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ୮ଟା ୩୦ରୁ ଫାଇନାଲ ଖେଳାଯିବ।

Share