ପ୍ରେମ ବିବାହ ପରେ ପ୍ରତାରଣା, ସ୍ବାମୀ ଗିରଫ

ଚଣ୍ଡିଖୋଲ,୩ା୧୨(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମହୀପୁର ଗ୍ରାମର ଜଣେ ଯୁବତୀ ପ୍ରେମବିବାହ ପରେ ପ୍ରତାରଣାର ଶିକାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗ ଗ୍ରାମର କାହ୍ନା ନାୟକ (୨୨)। ପୋଲିସ ସୂଚନା ଅନୁଯାୟୀ, କାହ୍ନା ତାମିଲନାଡୁରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମହୀପୁର ଗ୍ରାମର ଜଣେ ଯୁବତୀଙ୍କ ସହ ସୋସିଆଲ୍‌ ମିଡିଆ ମାଧ୍ୟମରେ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଫଳରେ ଯୁବକ ଜଣକ ତାମିଲନାଡୁରୁ ପ୍ରେମିକାର ଗ୍ରାମକୁ ଆସି ସେଠାରେ ବିବାହ କରିଥିଲେ। ବିବାହର ମାତ୍ର ୨୨ ଦିନ ପରେ ଅର୍ଥାତ୍‌ ନଭେମ୍ବର ୨୦ ତାରିଖରେ କାହ୍ନା ସ୍ତ୍ରୀଙ୍କୁ ସାଙ୍ଗରେ ଧରି ମହୀପୁର ଗ୍ରାମରୁ ନିଜ ଗ୍ରାମ କୁଲାଙ୍ଗକୁ ବାହାରିଥିଲେ। ମାତ୍ର କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ପାଣି ଆଣିବା ବାହାନାରେ ସ୍ତ୍ରୀଙ୍କୁ ଛାଡ଼ିଦେଇ କାହ୍ନା ଫେରାର ହୋଇଯାଇଥିଲେ। ଏନେଇ କାହ୍ନାଙ୍କ ଶ୍ୱଶୁର ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଥାନାଧିକାରୀ ରମାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଗତ ୧ ତାରିଖରେ ଏସ୍‌ଆଇ ମନୋରଞ୍ଜନ ସେଠୀ ସଦଳବଳ କୁଲାଙ୍ଗ ଗ୍ରାମରେ ଚଢ଼ାଉ କରି କାହ୍ନାକୁ ଗିରଫ କରିଥିଲେ।