ଠକିଦେଲା କଳାଚମ୍ପା

ଢେଙ୍କାନାଳ ଅଫିସ,  ୧।୭  ଠକିଦେଲା କଳାଚମ୍ପା। ୭୦% ଧାନ ବିହନରୁ ବାହାରିଲାନି ଗଜା। ପାଖରେ ବିହନ ମହଜୁଦ୍‌ ନ ଥିବାରୁ ଏହାକୁ ନେଇ ଅକଳରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଏବଂ ରାଣୀପାଳ ଗ୍ରାମର ଚାଷୀ। ଏ ନେଇ ସେମାନେ ଗୁରୁବାର କୃଷି ଜିଲା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଚଳିତ ଖରିଫ୍‌ ଚାଷ ପାଇଁ ଚାଷୀମାନେ ଘଟିପିରି ପ୍ରାଥମିକ ସମବାୟ ସମିତିରୁ କଳାଚମ୍ପା କିସମର ଧାନ ବିହନ କିଣିଥିଲେ। ତେବେ ତଳି ପକାଇବା ପରେ ସେଥିରୁ ମାତ୍ର ୩୦% ଗଜା ଉଠିଥିଲା। ଏହାକୁ ନେଇ ଚାଷୀମାନେ ନିରାଶ ହୋଇପଡ଼ିଛନ୍ତି। ମନ ମୁତାବକ ବିହନ କିଣିବା ପାଇଁ ଅର୍ଥ ନ ଥିବାରୁ ସେମାନେ ସମସ୍ୟାରେ ପଡ଼ିଛନ୍ତି। ସମସ୍ୟା ସମ୍ପର୍କରେ ସେମାନେ କୃଷକ ସାଥୀ, ଗ୍ରାମ ସେବକ, ପ୍ୟାକ୍ସ ସମ୍ପାଦକଙ୍କୁ ଅବଗତ କରାଇଛନ୍ତି। ଜିଲା କୃଷି ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ବିଶ୍ୱଜିତ ଆର୍ଯ୍ୟେନ୍ଦୁ କୁମାର ଜେନା, ଦେବବ୍ରତ ମହାପାତ୍ର, ଜନ୍ମେଜୟ ସାମଲ, ଭାବଗ୍ରାହୀ ରାଉତ, କୈଳାସ ଚନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ବହୁ ଚାଷୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ କୃଷି ଜିଲା ଅଧିକାରୀ ଜ୍ୟୋତିର୍ଦୀପ୍ତ ପଟ୍ଟନାୟକ କୁହନ୍ତି, ଗୋବିନ୍ଦପ୍ରସାଦ ପଞ୍ଚାୟତର ଚାଷୀମାନେ ଘଟିପିରି ସମବାୟ ସମିତିରୁ କଳାଚମ୍ପା କିସମ ଧାନ ବିହନ ନେଇଥିଲେ। ତେବେ ଏଥିରୁ ଗଜା ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। କୃଷି ବିଭାଗ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ।